କଟକରୁ ରାଜନଗର ରଙ୍ଗଣୀ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ କେନ୍ଦ୍ରାପଡ଼ା ଜିଲ୍ଲାର କଖାରୁଣୀ ଛକ ନିକଟରେ ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍ଟି ରାସ୍ତା ତଳକୁ ଖସି ଓଲଟି ପଡ଼ିବାରୁ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ବସ୍ଟି କଟକରୁ ଯାତ୍ରୀମାନଙ୍କୁ ନେଇ ରାଜନଗର ରଙ୍ଗଣୀ ଯାଉଥିଲା। କଖାରୁଣୀ ଛକ ନିକଟରେ ହଠାତ୍ ଚାଳକ ବସ୍ର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ରାସ୍ତା କଡ଼କୁ ଖସି ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ବସ୍ରେ ବହୁ ସଂଖ୍ୟକ ଯାତ୍ରୀ ଥିବାରୁ ଆହତଙ୍କ ସଂଖ୍ୟା ବଢ଼ିଛି।
ସମସ୍ତ ଆହତଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ଏବଂ ମେଡିକାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ତଦନ୍ତ ଆରମ୍ଭ କରିଛି। ଅତ୍ୟଧିକ ବେଗ, ଯାନ୍ତ୍ରିକ ତ୍ରୁଟି ନା ଅନ୍ୟ କୌଣସି କାରଣରୁ ବସ୍ଟି ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ଚାଲିଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ସେହି ରାସ୍ତାରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।