କଟକ: ରାଜ୍ୟସଭା ନିର୍ବାଚନ ମାମଲାରେ ବିଜୁ ଜନତା ଦଳ ହାଇକୋର୍ଟଙ୍କ ଦାରସ୍ଥ ହୋଇଛି । ଏହି ମାମଲାରେ ବାଚସ୍ପତିଙ୍କୁ ପକ୍ଷ ଭୁକ୍ତ କରିବାକୁ ବିଜେଡ଼ି ପୁନଃ ପିଟିସନ୍ ଦାଖଲ କରିଛି । ଦଳୀୟ ହ୍ୱିପ୍ ବିରୋଧରେ ଯାଇ ଭୋଟ୍ ଦେଇଥିବା ୮ ଜଣ ବିଧାୟକଙ୍କ ସଭ୍ୟ ରଦ୍ଦ କରିବାକୁ ବିଜେଡ଼ି ପୂର୍ବରୁ ପିଟିସନ୍ ଦାଖଲ କରାସାରିଛି । ଏ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ରାଜ୍ୟସଭା ନିର୍ବାଚନରେ ବିଜେଡ଼ିର ୮ ଜଣ ସଦସ୍ୟ ଦଳୀୟ ହ୍ୱିପ୍ ବିରୋଧରେ ଯାଇ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିଲେ । ବିଧାୟକ ଚକ୍ରମଣି କହଁର, ନବକିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁଭାଷିନୀ ଜେନା, ରମାକାନ୍ତ ଭୋଇ, ଦେବୀରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ ଦଳୀୟ ନିଷ୍ପତି ବିରୋଧରେ ଯାଇଥିଲେ । ପୂର୍ବରୁ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ଦଳ ନିଲମ୍ବିତ କରିସାରିଥିଲା । ରାଜ୍ୟସଭା ନିର୍ବାଚନ ପରେ ଅନ୍ୟ ୬ ଜଣ ସଦସ୍ୟଙ୍କୁ ନିଲମ୍ବିତ କରିଥିଲା ଦଳ । ସେମାନଙ୍କୁ ଦଳରୁ ବହିଷ୍କାର କରାଯାଇଥିବାରୁ ସେମାନଙ୍କର ସଦ୍ୟ ପଦ ରଦ୍ଦ ପାଇଁ ବିଜେଡ଼ି ପିଟିସନ୍ ଦାଖଲ କରିଛି ।