ଭୁବନେଶ୍ୱରର ୟୁନିଟ୍-୧ ହାଟ ଅଞ୍ଚଳରେ ଶୁକ୍ରବାର ବିଏମ୍ସି ଓ ବିଡିଏ ପକ୍ଷରୁ ମିଳିତ ଉଚ୍ଛେଦ ଅଭିଯାନ ଚାଲିଛି। ସରକାରୀ ଜମି ଉପରେ ଗଢ଼ିଉଠିଥିବା ରାସ୍ତାକଡ଼ ଦୋକାନ ଓ ଭେଣ୍ଡିଂ ଜୋନ୍କୁ ହଟାଇବା ପାଇଁ ସକାଳୁ ବୁଲଡୋଜର ସହ ପ୍ରଶାସନିକ ଟିମ୍ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ୟୁନିଟ୍-୧ ହାଟରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବାରୁ ସୁରକ୍ଷା ଓ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି କଠୋର ପଦକ୍ଷେପ ନିଆଯାଇଥିବା ବିଏମ୍ସି କହିଛି। ଅଧିକାରୀଙ୍କ ସୂଚନା ଅନୁସାରେ, ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ପୂର୍ବରୁ ବିକଳ୍ପ ସ୍ଥାନ ଆବଣ୍ଟନ କରାଯାଇଥିଲା। ତଥାପି କିଛି ବ୍ୟବସାୟୀ ଥଇଥାନ ସ୍ଥାନକୁ ନଯାଇ ପୁଣି ସରକାରୀ ଜାଗାରେ ଦୋକାନ ଚଳାଇଥିବାରୁ ଆଜି ଉଚ୍ଛେଦ କରାଯାଇଛି।
ବିଏମ୍ସିର କହିବା ଅନୁଯାୟୀ, ଉଚ୍ଛେଦ ହୋଇଥିବା ଦୋକାନୀଙ୍କ ପୁନର୍ବାସ ପାଇଁ ସହରରେ ୫୩ଟି ନୂଆ ଭେଣ୍ଡିଂ ଜୋନ୍ ପ୍ରସ୍ତୁତ କରାଯାଇଛି। ସେଠାରେ ସମସ୍ତଙ୍କୁ ପର୍ଯ୍ୟାୟକ୍ରମେ ବ୍ୟବସ୍ଥିତ ଭାବେ ଥଇଥାନ କରାଯିବ ବୋଲି କୁହାଯାଇଛି।
ଅନ୍ୟପଟେ, ଉଚ୍ଛେଦକୁ ବିରୋଧ କରିଛନ୍ତି ଦୋକାନୀମାନେ। ସେମାନଙ୍କ ଅଭିଯୋଗ, ଗତକାଲି ନୋଟିସ୍ ଦେଇ ଆଜି ହଠାତ୍ ଦୋକାନ ଭାଙ୍ଗି ଦିଆଗଲା। ଯଥେଷ୍ଟ ସମୟ ନଦେଇ ପ୍ରଶାସନ ଏପରି କାର୍ଯ୍ୟାନୁଷ୍ଠାନ କରିଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଉଚ୍ଛେଦକୁ କେନ୍ଦ୍ର କରି କିଛି ସମୟ ପାଇଁ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲେ ମଧ୍ୟ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଛି।