କୋଲକାତା: ଆସନ୍ତା ଅକ୍ଟୋବର ୬ତାରିଖରେ ପଶ୍ଚିମବଙ୍ଗର ବହୁ ଚର୍ଚ୍ଚତ ନନ୍ଦିଗ୍ରାମ ବିଧାନସବା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏ ଆସନ ଉପରେ ସମସ୍ତଙ୍କର ନଜର ରହିଛି । ତେବେ ଭାରତୀୟ ଜନତା ପାର୍ଟୀ ତୃଣମୂଳ କଂଗ୍ରେସକୁ ପୁଣି ଥରେ ଧୂଳି ଚଟେଇବାକୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କର ପୂର୍ବତନ ବ୍ୟକ୍ତିଗତ ସହାୟକ ସ୍ୱର୍ଗତ ଚନ୍ଦ୍ରନାଥ ରଥଙ୍କ ମାଆ ହାସୀ ରଥଙ୍କୁ ପ୍ରାର୍ଥୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ହାସୀ ରଥ ମଧ୍ୟ ଏହି ଚର୍ଚ୍ଚା ଉପରେ ନିଜର ସହମତି ପ୍ରକାଶ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ଏହା ଉପରେ ନିଷ୍ପତି ନେବେ ତେବେ ତାଙ୍କର କୌଣସି ଆପତ୍ତି ନାହିଁ । ନନ୍ଦୀଗ୍ରାମ ପାଇଁ ସେ ନିଜର ସମସ୍ତ ଶକ୍ତି ଲଗାଇ ଦେବେ । ତାଙ୍କ ପୁଅ ଯିବା ପରେ ମୁଖ୍ୟମନ୍ତ୍ରୀ ହିଁ ତାଙ୍କ ପରିବାରର ଅଭିଭାବକ ବୋଲି ସେ କହିଛନ୍ତି । ଏହା ସହିତ ବିଜେପିର କାର୍ଯ୍ୟଶୈଳୀ ଓ ବିଚାରଧାରାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଏହା ଉପରେ ଚର୍ଚ୍ଚା ହେଉଛି । ଯେପର୍ଯ୍ୟନ୍ତ ଦଳ କୌଣସି ଆନୁଷ୍ଠାନିକ ଘୋଷଣା ନ କରିଛି ସେ ପର୍ଯ୍ୟନ୍ତ କିଛି କହିବା ଉଚିତ ହେବ ନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି ହାସୀ ରଥ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ବର୍ଷ ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନରେ ଶୁଭେନ୍ଦୁ ଅଧିକାରୀ ଦୁଇଟି ଆସନରୁ ଲଢ଼ିଥିଲେ । ସେ ଉଭୟ ନନ୍ଦିଗ୍ରାମ ଏବଂ ଭବାନୀପୁରରୁ ପ୍ରାର୍ଥୀ ହୋଇ ବିଜୟଲାଭ କରିଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ସେ ଭବାନୀପୁର ଆସନକୁ ନିଜ ପାଖରେ ରଖିଥିବାବେଳେ ନନ୍ଦିଗ୍ରାମରୁ ଇସ୍ତଫା ଦେଇଥିଲେ । ଯାହା ପରେ ଉକ୍ତ ଆସନଟି ଖାଲି ପଡ଼ିଛି ।
୨୦୨୧ ନିର୍ବାଚନରେ ମଧ୍ୟ ନନ୍ଦିଗ୍ରାମରେ ଆସନରେ ଶୁଭେନ୍ଦୁ ଲଢ଼ି ତତ୍କାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ । ଗତ ନିର୍ବାଚନରେ ମଧ୍ୟ ସେ ଭବାନୀପୁରରେ ମମତାଙ୍କୁ ପରାସ୍ତ କରିଥିଲେ ।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର କେଇଟା ଦିନ ପରେ ଶୁଭେନ୍ଦୁଙ୍କ ପିଏ ଚନ୍ଦ୍ରନାଥଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।