ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳମୀରେ ଯୋଗ ଦେବାକୁ ବିଶ୍ୱର ବହୁ ଦିଗ୍ଗଜ ନେତୃବୃନ୍ଦ ଦିଲ୍ଲୀରେ ପହଁଚୁଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିୟୋ ଗୁଟେରେସ, ନାଇଜେରିଆ ଉପରାଷ୍ଟ୍ରପଚି କାଶିମ ଶୋଟ୍ଟିୟା, ମିସ୍ର ରାଷ୍ଟ୍ରପତି ଅବ୍ଦେଲ ଫତହ ଅଲ୍-ସିସୀ ପ୍ରମୁଖ ଦିଲ୍ଲୀରେ ଜଣକ ପରେ ଜଣେ ପହଁଚୁଛନ୍ତି । ସେହିପରି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଭାରତ ଗସ୍ତରେ ଆସିବେ ।
ସେପଟେ ନୂଆଦିଲ୍ଲୀରେ ବହୁ ପ୍ରତିକ୍ଷୀତ ମୋଦୀ ପୁଟିନ ଭେଟଘାଟ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି । ଉଭୟଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନାର ହେବାର ସମ୍ଭାବନା ରହିଛି । ଉଦ୍ୟୋଗ, ରେଳ, ଇସ୍ପାତ ଭଳି ପ୍ରମୁଖ ପ୍ରସଙ୍ଗରେ ଉଭୟ ଦେଶର ନେତା ଆଲୋଚନା କରିବେ । ଏହି ଅବସରରେ ମୋଦୀ ପୁଟିନଙ୍କୁ ରୁଷୀୟ ଭାଷାରେ ଅନୁବାଦିତ ହୋଇଥିବା ସନ୍ତ ତିରୁବଲ୍ଲୁବରଙ୍କ ଏକ ପୁସ୍ତକ ଭେଟି ଦେଇଛନ୍ତି । ପୁଟିନ୍ଙ୍କୁ ଏହି ପୁସ୍ତକ ପ୍ରଦାନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରି କହିଛନ୍ତି ଯେ ଯେ ଏହି ପୁସ୍ତକ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବାରେ ଭୂମିକା ଗ୍ରହଣ କରିବ । 'ତିରୁକ୍କୁରାଲ୍' ହେଉଛି ତାମିଲ୍ ସାହିତ୍ୟର ଅନ୍ୟତମ ଶ୍ରେଷ୍ଠ ଓ ବିଶ୍ୱ-ପ୍ରସିଦ୍ଧ କୃତି । ଏହାକୁ 'ତାମିଲ୍ ବେଦ' ବୋଲି ମଧ୍ୟ କୁହାଯାଏ । ଏହି ପୁସ୍ତକଟି ରୁଷୀୟ ଭାଷା ସମେତ ଅନେକ ଭାଷାରେ ଅନୁବାଦିତ ହୋଇଛି।
ବ୍ରିକ୍ସ ସମ୍ମିଳନୀ ପାଇଁ ଦିଲ୍ଲୀକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ମଥୁରରୋଡ୍, ଶାନ୍ତି ପଥ, ଜନପଥ, ଅଶୋକ ରୋଡ୍, ବାରାଖମ୍ଭା ରୋଡ୍ ସହିତ ୩୫ଟି ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସାଧାରଣ ଲୋକେ ଯେପରି ଏହା ଦ୍ୱାରା ପ୍ରଭାବିତ ନ ହୁଅନ୍ତି ସେଥିପାଇଁ ପ୍ରାୟ ୪୮୦୦ ଟ୍ରାଫିକ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି ।