ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ୱର ଜିଲ୍ଲାରୁ ୫ଟି ଓରାଙ୍ଗଉଟାନ ମିଳିବା ଖବର ଆଉ ରାଜ୍ୟ ନୁହେଁ ବରଂ ଅନ୍ତର୍ଜାତୀୟ ଖବର ପାଲଟି ସାରିଛି । ଯେଉଁ ବନ୍ୟଜନ୍ତୁ କେବେବି ପ୍ରାକୃତିକ ଭାବରେ ଭାରତରେ ଦେଖା ଯାଆନ୍ତି ନାହିଁ, ସେ ପଶୁ ଓଡ଼ିଶାରେ କେମିତି ପହଁଚିଲେ ତାହା ଏବେ ବଡ଼ ପ୍ରଶ୍ନ । ଏଥିରେ ଏକ ଅନ୍ତର୍ଜାତୀୟ ପଶୁ ଚୋରା ଚାଲାଣ କାମ କରୁଥିବା ସନ୍ଦେହ କରାଯାଉଛି । ତେବେ ଏହା ଉପରେ ଡାଉନ୍ ଟୁ ଆର୍ଥ ସଂସ୍ଥା ଏକ ବଡ଼ ସୂଚନା ଦେଇଛି ।
ଡାଉନ୍ ଟୁ ଆର୍ଥ ସଂସ୍ଥା ଅନୁସାରେ, ଓରାଙ୍ଗଉଟାନ ସାଧାରଣତଃ ଇଣ୍ଡୋନେସିଆର ବର୍ମିଓ ଏବଂ ସୁମିତ୍ରାରେ ଦେଖାଯାଆନ୍ତି । ଭାରତୀୟ ଜଳବାୟୁ ସେମାନଙ୍କ ପାଇଁ ଅନୁକୂଳ ନୁହେଁ । ଭାରତରେ କେଉଁଠାରେ ମଧ୍ୟ ପ୍ରାକୃତିକ ରୂପରେ ଜନ୍ମ ଗ୍ରହଣ କରନ୍ତି ନାହିଁ । ତେଣୁ ବାଲେଶ୍ୱରରୁ ଯେଉଁ ଶିଶୁ ଓରାଙ୍ଗଉଟାନଙ୍କୁ ଉଦ୍ଧାର କରାଯାଇଛି ସେମାନଙ୍କୁ ଚୋରା ଚାଲାଣ କରାଯାଇଥିବା ସନ୍ଦେହ କରାଯାଉଛି । ଇଣ୍ଡୋନେସିଆରୁ ଓରାଙ୍ଗଉଟାନଙ୍କୁ ଆଣିବାକୁ ସାଧାରଣତଃ ତିନୋଟି ପଥ ରହିଛି, ଯଥା ଜଳ ପଥ, ସ୍ଥଳ ପଥ ଏବଂ ଆକାଶ ପଥ । ଯାହାର ମ୍ୟାପ୍ ଦିଆଯାଇଛି । ଇଣ୍ଡୋନେସିଆରୁ ଭାରତକୁ ସେମାନଙ୍କୁ ଆଣିବାକୁ ହେଲେ ମାଲେସିଆ ଥାଇଲାଣ୍ଡ, ବାଂଲାଦେଶ, ମିଆଁମାର ଏବଂ ଶ୍ରୀଲଙ୍କା ହୋଇ ଆସିବାକୁ ପଡ଼ିବ । ଆକାଶ ପଥ ଅର୍ଥାତ ବିମାନରେ ଆଣିବା ପ୍ରାୟତଃ ଏତେ ସହଜ ନୁହେଁ । ବିମାନ ବନ୍ଦରରେ କଡ଼ା ସରୁକ୍ଷା ବଳୟ ରହୁଥିବାରୁ ଏହା ସମ୍ଭବ ନୁହେଁ । ତେଣୁ ଜଳ ପଥ ଏବଂ ସଡ଼କ ପଥ ଦୁଇଟି ବିକଳ୍ପ ରହିଛି ।
ଆକାଶ ପଥ
ଯଦି ଆକାଶ ପଥରେ ଅଣାଯାଏ ତେବେ ପ୍ରଥମେ ଇଣ୍ଡୋନେସିଆରୁ ସୁମାତ୍ରା ଦେଇ ମାଲେସିଆ, ଥାଇଲାଣ୍ଡ ଏବଂ ପରେ ଥାଇଲାଣ୍ଡରୁ ଶ୍ରୀଲଙ୍କା ନ ହେଲେ ବାଂଲାଦେଶ ପଥ ଦେଇ ଭାରତରେ ପ୍ରବେଶ କରିପାରିବେ ।
ସମୁଦ୍ର ପଥ
ସେହିପରି ଯଦି ସମୁଦ୍ର ପଥରେ ଆସନ୍ତି ତେବେ ଇଣ୍ଡୋନେସିଆ ବର୍ମିଓରୁ ସୁମାତ୍ରା, ଭାରତ ମହାସାଗର ଦେଇ ଶ୍ରୀଲଙ୍କା ଏବଂ ତା ପରେ ଶ୍ରୀଲଙ୍କାରୁ ଚେନ୍ନାଇରେ ପ୍ରବେଶ କରିବାର ସୁଯୋଗ ରହିଛି ।
ସଡ଼କ ପଥ
ସେହିପରି ଯଦି ସଡ଼କ ପଥକୁ ବିଚାରକୁ ନିଆଯାଏ ତେବେ ବଡ଼ ଗାଡ଼ିରେ ସେମାନଙ୍କୁ ଭାରତ ଆଣିବା ସବୁଠାରୁ ସହଜ ହୋଇଥାଏ । ବର୍ମିଓ ଏବଂ ସୁମତ୍ରାରୁ ପ୍ରଥମେ ମାଲେସିଆ, ପରେ ଥାଇଲାଣ୍ଡରୁ ବ୍ୟାଙ୍ଗକକ୍, ବ୍ୟାଙ୍ଗକକରୁ ମିଆଁମାର ଏବଂ ବାଲାଂଦେଶ ଦେଇ ଭାରତରେ ପ୍ରବେଶ କରିବାର ରାସ୍ତା ରହିଛି । ମିଆଁମାରକୁ ଏକ ଗୁରୁତ୍ୱପୂର୍ଣ୍ଣ ଗଳା ବାଟ ବୋଲି ବିବେଚନା କରାଯାଉଛି । ଭାରତ ଏବଂ ମିଆଁମାର ମଧ୍ୟରେ କୌଣସି ସୀମା ରେଖା ନାହିଁ । ଏହା ସହିତ ବାଂଲାଦେଶରୁ ବଙ୍ଗୋପସାଗର ଦେଇ ଓଡ଼ିଶାରେ ପ୍ରବେଶ କରାଯାଇଥିବା ଅନୁମାନ କରାଯାଉଛି । ତଥାପି ଜଣେ ଏତେ ସୁରକ୍ଷା ବଳୟ ଏବଂ ଏତେ ଲମ୍ବା ରାସ୍ତା ଦେଇ କିପରି ଓଡ଼ିଶାକୁ ଆସିଲା ତାହା ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।
୫ ଛୁଆଙ୍କର ୫ ମାଆ
ସେପଟେ ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ଅନୁସାରେ ଗୋଟିଏ ମାଈ ଓରାଙ୍ଗଉଟାନ ୬ରୁ ୯ ବର୍ଷ ବ୍ୟବଧାନ ଭିତରେ ମାତ୍ର ଗୋଟାଏ ଛୁଆ ଜନ୍ମ କରିଥାଏ । ମଣିଷ ଭଳି ୮ରୁ ୯ ମାସ ଗର୍ଭଧାରଣ କରିବା ପରେ ଗୋଟିଏ ଛୁଆକୁ ଜନ୍ମ ଦିଏ । ଏହାର ୬ରୁ ୯ ବର୍ଷ ବ୍ୟବଧାନ ପରେ ଆଉ ଏକ ଛୁଆ ଜନ୍ମ ଦିଏ । ଓଡ଼ିଶାରେ ଯେଉଁ ୫ଟି ଓରାଙ୍ଗଉଟାନ ଛୁଆ ଉଦ୍ଧାର ହୋଇଛନ୍ତି ସମସ୍ତଙ୍କ ବୟସ ଏକ ବର୍ଷ ମଧ୍ୟରେ ଥିବା ଅନୁମାନ କରାଯାଉଛି । ତେଣୁ ଯଦି ଭାରତରେ କେଉଁଠି କୃତ୍ରିମ ଉପାୟରେ ଓରାଙ୍ଗଉଟାନ ଜନ୍ମ କରାଯାଉଥିବ ତେବେ ୫ଟି ମାଈ ଓରାଙ୍ଗଉଟାନ ଥିବା ସୁନିଶ୍ଚିତ ବୋଲି ବିଶେଷଜ୍ଞମାନେ ମତ ରଖନ୍ତି । ତେବେ ଏ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ ବୋଲି ଦାବି କରାଯାଉଛି ।