ଓଡ଼ିଶାରେ ଜମି ଓ ରାଜସ୍ୱ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଓ ଲୋକମୁଖୀ କରିବା ଦିଗରେ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓଡ଼ିଶା ବୋର୍ଡ ଅଫ୍ ରେଭେନ୍ୟୁର ନୂଆ ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ କରିଛନ୍ତି।
ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ବୋର୍ଡ ଅଫ୍ ରେଭେନ୍ୟୁ ସଦସ୍ୟ ସତ୍ୟବ୍ରତ ସାହୁ, ସଚିବ ଲକ୍ଷ୍ମୀକାନ୍ତ ସେଠୀ ଓ ବରିଷ୍ଠ ରାଜସ୍ୱ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରୀ କହିଛନ୍ତି, ପ୍ରଯୁକ୍ତି, ସୂଚନା ଓ ନ୍ୟାୟିକ ଜ୍ଞାନକୁ ସାଧାରଣ ଲୋକ ଏବଂ ରାଜସ୍ୱ ବ୍ୟବସ୍ଥା ସହ ସଂଯୋଗ କରିବାରେ ଏହି ଦୁଇ ପଦକ୍ଷେପ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।
ନୂଆ ୱେବସାଇଟ୍ରେ ବୋର୍ଡର ବିଭିନ୍ନ ଶାଖା, କାର୍ଯ୍ୟକଳାପ ଓ ରାଜସ୍ୱ ସଂସ୍ଥା ସମ୍ପର୍କିତ ସମସ୍ତ ତଥ୍ୟ ଏକାଠି ଉପଲବ୍ଧ ରହିବ। ଏଥିସହ କମିଶନର ଅଫ୍ ଲ୍ୟାଣ୍ଡ ରିଫର୍ମ୍ସ, ଲ୍ୟାଣ୍ଡ ରେକର୍ଡସ୍ ଆଣ୍ଡ ସେଟଲମେଣ୍ଟ, କନସୋଲିଡେସନ୍ ଏବଂ ଆଇଜି ଅଫ୍ ରେଜିଷ୍ଟ୍ରେସନ୍ ସମ୍ପର୍କିତ ସୂଚନା ମଧ୍ୟ ମିଳିବ।
ଅନ୍ୟପଟେ, ବାର୍ଷିକ ପ୍ରକାଶନ ପରିବର୍ତ୍ତେ ଏବେ ତ୍ରୈମାସିକ ଜର୍ଣ୍ଣାଲ୍ ପ୍ରକାଶ କରାଯିବ। ଏଥିରେ ଜମି ବିବାଦ, ରେକର୍ଡ ସଂଶୋଧନ, ମ୍ୟୁଟେସନ୍, ଦଖଲ, ଲିଜ୍, ସରକାରୀ ଜମି ଓ ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ଆଇନ ସମ୍ପର୍କିତ ଐତିହାସିକ ରାୟ ସ୍ଥାନ ପାଇବ। ତହସିଲଦାର, ଅତିରିକ୍ତ ତହସିଲଦାର ଓ ଉପଜିଲ୍ଲାପାଳଙ୍କ ପାଇଁ ଏହା ଏକ ପ୍ରମାଣଭିତ୍ତିକ ରେଫରେନ୍ସ ଭାବେ କାମ କରିବ।
ବୋର୍ଡର ସୂଚନା ଅନୁସାରେ, ଗତ ୮ ମାସରେ ୪୧ଟି ରିଭିଜନାଲ୍ କୋର୍ଟ ପ୍ରାୟ ୧୧ ହଜାର ରାଜସ୍ୱ ମାମଲାର ସମାଧାନ କରିଛି। ମାମଲା ନିଷ୍ପତ୍ତିର ଗତି ବଢ଼ିଥିବାରୁ ଜର୍ଣ୍ଣାଲକୁ ବାର୍ଷିକରୁ ତ୍ରୈମାସିକ କରାଯାଇଛି। ଏହା ରାଜସ୍ୱ ନ୍ୟାୟ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଆଇନର ସମାନ ପ୍ରୟୋଗକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।