ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବାବା ରାମଦେବ ଏକ ଅନନ୍ୟ ଆୟୁର୍ବେଦିକ ହୁକ୍କା ଆଣିଛନ୍ତି । ଯେଉଁଥିରେ ଆୟୁର୍ବେଦିକ ଜଡ଼ିବୁଟି ପକାଇ ସେ ବାତ, ପିତ୍ତ ଏବଂ କଫ ଭଲ ହେବାର ଦାବି କରିଛନ୍ତି ।
ବାବା ରାମଦେବ କହିଛନ୍ତି ଯେ ଏହି ହୁକ୍କାରେ ସାଧାରଣତଃ ବ୍ୟବହୃତ ତମାଖୁ କିମ୍ବା ସ୍ୱାଦ ବଦଳରେ ଆୟୁର୍ବେଦିକ ଉପାଦାନର ବ୍ୟବହାର କରାଯାଏ। ଲାଇକୋରିସ୍, ହଳଦୀ, ସୋରିଷ, ଗାଈ ଘିଅ ଏବଂ କର୍ପୁର ଆଦି ବ୍ୟବହାର କରି ତାହାକୁ ହୁକ୍କାରେ ପକାଇ ଜାଳୁଛନ୍ତି । ସେଥିରୁ ବାହାରୁଥିବା ଧୂଆଁକୁ ସେବନ କରିବାକୁ ପଡ଼ିବ । ଏହା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ସହଜ ଅନୁଭବ ହେବା ସହିତ ବାତ, ପିତ୍ତ ଏବଂ କଫରୁ ମୁକ୍ତି ମିଳିବ ବୋଲି ଦାବି କରିଛନ୍ତି ।
ତେବେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନିୟମିତ ହୁକ୍କା ଏବଂ ଇ-ସିଗାରେଟ୍ ବିଷୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥାନ୍ତି। ସ୍ୱାଦଯୁକ୍ତ ହୁକ୍କା ଏବଂ ଇ-ସିଗାରେଟ୍ରେ ଥିବା ତମାଖୁ ଏବଂ ବିଭିନ୍ନ ରାସାୟନିକ ପଦାର୍ଥ ଫୁସଫୁସ ପାଇଁ କ୍ଷତିକାରକ ଅଟେ । ରାମଦେବଙ୍କ ଆୟୁର୍ବେଦିକ ହୁକ୍କା ନିୟମିତ ତମାଖୁ ହୁକ୍କା ଠାରୁ ଭିନ୍ନ ବୋଲି କୁହାଯାଉଛି । ତଥାପି ଏହା ଉପରେ ରିସର୍ଚ୍ଚ ଜରୁରୀ ବୋଲି କୁହାଯାଉଛି ।