ବୟସ ବଢ଼ିବା ସହ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଦିଏ। କେତେବେଳେ ହଠାତ୍ ଗରମ ଲାଗିବା, ରାତିରେ ଅଧିକ ଝାଳ ବାହାରିବା, ନିଦରେ ସମସ୍ୟା ହେବା କିମ୍ବା ବିନା କାରଣରେ ଥକ୍କା ଲାଗିବା ଭଳି ଲକ୍ଷଣକୁ ଅନେକ ମହିଳା ସାଧାରଣ ବୟସଜନିତ ପରିବର୍ତ୍ତନ ଭାବି ଅଣଦେଖା କରନ୍ତି। କିନ୍ତୁ ଏହା ପଛରେ ମେନୋପଜ୍ ବା ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହେବା ପ୍ରକ୍ରିୟା ସହ ଜଡ଼ିତ ହର୍ମୋନ୍ ପରିବର୍ତ୍ତନ ମଧ୍ୟ ରହିପାରେ।
ଏକ ନୂଆ ଅଧ୍ୟୟନ ମହିଳାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ସାମ୍ନାକୁ ଆଣିଛି। ଏଥିରେ ଜଣାପଡ଼ିଛି ଯେ ମେନୋପଜ୍ ସମ୍ପର୍କିତ କିଛି ହର୍ମୋନ୍ ପରିବର୍ତ୍ତନ ଋତୁସ୍ରାବ ସମ୍ପୂର୍ଣ୍ଣ ବନ୍ଦ ହେବାର ପ୍ରାୟ ୧୫ ବର୍ଷ ପୂର୍ବରୁ ଆରମ୍ଭ ହୋଇପାରେ। ଏହି ପରିବର୍ତ୍ତନ କେବଳ ପ୍ରଜନନ ପ୍ରଣାଳୀରେ ସୀମିତ ନରହି ଶରୀରର ଅନ୍ୟାନ୍ୟ ଅଙ୍ଗ ଓ ରକ୍ତ ପରୀକ୍ଷାରେ ମଧ୍ୟ ପ୍ରତିଫଳିତ ହୋଇପାରେ।
ହର୍ମୋନ୍ରେ ପରିବର୍ତ୍ତନ, ଶରୀର ଦେଉଥାଏ ସଙ୍କେତ
ମେନୋପଜ୍ ହେଉଛି ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପର୍ଯ୍ୟାୟ। ଏହି ସମୟରେ ଅଣ୍ଡାଶୟର କାର୍ଯ୍ୟକ୍ଷମତା ହ୍ରାସ ପାଏ ଏବଂ ଏଷ୍ଟ୍ରୋଜେନ୍ ସମେତ ବିଭିନ୍ନ ହର୍ମୋନ୍ର ସ୍ତରରେ ପରିବର୍ତ୍ତନ ହୁଏ। ଏହାର ପ୍ରଭାବରେ ହଠାତ୍ ଗରମ ଲାଗିବା, ରାତିରେ ଝାଳ ବାହାରିବା, ନିଦରେ ସମସ୍ୟା ଓ ମନୋଭାବରେ ପରିବର୍ତ୍ତନ ଭଳି ଲକ୍ଷଣ ଦେଖାଦେଇପାରେ।
ରକ୍ତ ପରୀକ୍ଷାରେ ମଧ୍ୟ ଦେଖାଯାଏ ପରିବର୍ତ୍ତନ
‘ନେଚର ମେଡିସିନ୍’ରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ଗବେଷକମାନେ ଆମେରିକା ଓ ଇସ୍ରାଏଲ୍ର ମହିଳାଙ୍କ ବିପୁଳ ପରିମାଣର ଲାବରେଟୋରି ଟେଷ୍ଟ ତଥ୍ୟ ବିଶ୍ଳେଷଣ କରିଥିଲେ। ଏଥିରେ0 ଆଣ୍ଟି-ମୁଲେରିଆନ୍ ହର୍ମୋନ୍ (AMH)ର ସ୍ତର ମେନୋପଜ୍ର ପ୍ରାୟ ୧୫ ବର୍ଷ ପୂର୍ବରୁ ଦ୍ରୁତ ହ୍ରାସ ପାଇବା ଏବଂ ଫଲିକଲ୍ ଷ୍ଟିମୁଲେଟିଂ ହର୍ମୋନ୍ (FSH)ର ସ୍ତର ବଢ଼ିବାର ଧାରା ଦେଖିବାକୁ ମିଳିଥିଲା। ସେହିପରି ଏଷ୍ଟ୍ରାଡିଓଲ୍ର ସ୍ତର ମଧ୍ୟ ମେନୋପଜ୍ର ପ୍ରାୟ ୧୨ ବର୍ଷ ପୂର୍ବରୁ ଦ୍ରୁତ ହ୍ରାସ ପାଇପାରେ।
ହାଡ଼ ଓ ଅନ୍ୟ ଅଙ୍ଗ ଉପରେ ପ୍ରଭାବ
ଅଧ୍ୟୟନରେ ଆମେରିକାର ତଥ୍ୟ ଆଧାରରେ ବିଶ୍ଳେଷଣ କରାଯାଇଥିବା ୯୦ ପ୍ରକାର ଲାବ୍ ଟେଷ୍ଟ ମଧ୍ୟରୁ ୫୨ଟିରେ ମେନୋପଜ୍ର ଆଖପାଖ ସମୟରେ ହଠାତ୍ ପରିବର୍ତ୍ତନ ଦେଖାଯାଇଥିଲା। ଏଥିରେ ହାଡ଼ର ସ୍ୱାସ୍ଥ୍ୟ, ଯକୃତ ଓ ବୃକ୍କର କାର୍ଯ୍ୟକ୍ଷମତା ଏବଂ ରକ୍ତରେ ଥିବା ଚର୍ବି ସମ୍ପର୍କିତ ପରୀକ୍ଷା ଅନ୍ତର୍ଭୁକ୍ତ ଥିଲା।
ଏଷ୍ଟ୍ରୋଜେନ୍ ହାଡ଼କୁ ମଜଭୁତ ରଖିବାରେ ସହାୟତା କରେ। ଏହାର ସ୍ତର କମିଲେ ହାଡ଼ର ଘନତ୍ୱ ହ୍ରାସ ପାଇବାର ଆଶଙ୍କା ବଢ଼ିପାରେ। ତେଣୁ ମେନୋପଜ୍ ସମୟରେ ଶରୀରରେ ଦେଖାଦେଉଥିବା ପରିବର୍ତ୍ତନକୁ ଗୁରୁତ୍ୱ ଦେବା ଆବଶ୍ୟକ।
କ’ଣ କରିବେ ମହିଳା?
ମେନୋପଜ୍ ସମୟରେ ସବୁ ମହିଳାଙ୍କଠାରେ ସମାନ ଲକ୍ଷଣ ଦେଖାଯାଏ ନାହିଁ। ତେଣୁ ହଠାତ୍ ଗରମ ଲାଗିବା, ଅତ୍ୟଧିକ ଝାଳ ବାହାରିବା କିମ୍ବା ଦୀର୍ଘ ସମୟ ଧରି ଥକ୍କା ଲାଗିବା ଭଳି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ହର୍ମୋନ୍ ଥେରାପି ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ, ତେଣୁ ଏହାକୁ କେବଳ ଡାକ୍ତରଙ୍କ ପରାମର୍ଶରେ ଗ୍ରହଣ କରିବା ଉଚିତ।
ମେନୋପଜ୍ କେବଳ ପିରିୟଡ୍ସ ବନ୍ଦ ହେବା ନୁହେଁ, ବରଂ ଶରୀରରେ ବିଭିନ୍ନ ପରିବର୍ତ୍ତନର ଏକ ପ୍ରକ୍ରିୟା। ଏହା ବିଷୟରେ ସଚେତନ ରହିବା ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାରେ ସହାୟକ ହୋଇପାରେ।