ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ବିବାଦକୁ ନେଇ ଓଡ଼ିଶା ରାଜନୀତିରେ ପୁଣି ତେଜିଛି ଲଢ଼େଇ। ବିରୋଧୀ ବିଜୁ ଜନତା ଦଳ (ବିଜେଡି) ବିଧାନସଭାର ୮ ଜଣ ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଖାରଜ କରିଥିବା ସ୍ପିକର ସୁରମା ପାଢ଼ୀଙ୍କ ନିଷ୍ପତ୍ତିକୁ ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି।
ବିଜେଡି ମୁଖ୍ୟ ସଚେତକ ତଥା ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ଗୁରୁବାର ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଛନ୍ତି। ତାଙ୍କ ଅଭିଯୋଗ ହେଲା, ଦଳକୁ ଶୁଣାଣିର ସୁଯୋଗ ନଦେଇ ସ୍ପିକର ଏକତରଫା ଭାବେ ଆବେଦନ ଖାରଜ କରିଛନ୍ତି, ଯାହା ଆଇନଗତ ଭାବେ ଠିକ୍ ନୁହେଁ।
ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି ଯେ, ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳର ଜରୁରୀ ବୈଠକକୁ ଏହି ବିଧାୟକମାନେ ଯୋଗ ଦେଇନଥିଲେ ଏବଂ ଦଳର ସାମୂହିକ ନିଷ୍ପତ୍ତିକୁ ଅବମାନନା କରିଥିଲେ। ଏହାକୁ ଦଶମ ସୂଚୀ ଅନୁଯାୟୀ ଦଳବିରୋଧୀ କାର୍ଯ୍ୟ ବୋଲି ଦର୍ଶାଇ ସେମାନଙ୍କ ଅଯୋଗ୍ୟତା ଦାବି କରାଯାଇଥିଲା। ଏହି ୮ ଜଣଙ୍କ ମଧ୍ୟରେ ଚକ୍ରମଣି କହଁର, ଦେବୀରଞ୍ଜନ ତ୍ରିପାଠୀ, ଅରବିନ୍ଦ ମହାପାତ୍ର, ସନାତନ ମହାକୁଡ଼, ସୁବାସିନୀ ଜେନା, ନବ କିଶୋର ମଲ୍ଲିକ ଓ ସୌଭିକ ବିଶ୍ୱାଳଙ୍କ ନାମ ରହିଛି।
ତେବେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଦଳ ଜାଣିଥିଲା ଯେ ରାଜ୍ୟସଭା ନିର୍ବାଚନରେ ହ୍ୱିପ୍ ଲାଗୁ ହୁଏନି ଏବଂ ବିଧାୟକମାନେ ବିବେକ ଅନୁଯାୟୀ ଭୋଟ ଦେଇପାରନ୍ତି। କିନ୍ତୁ ବିଜେଡିର ମାମଲା କ୍ରସ୍ ଭୋଟିଂ ନୁହେଁ, ବରଂ ଦଳୀୟ ନିର୍ଦ୍ଦେଶ ଅମାନ୍ୟ ଓ ବୈଠକ ବର୍ଜନକୁ ନେଇ ବୋଲି ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନ୍ ୧୯ରେ ବିଧାନସଭା ସଚିବାଳୟ ବିଜେଡି ଓ କଂଗ୍ରେସର ମୋଟ ୧୧ ଜଣ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନକୁ “ଅସ୍ପଷ୍ଟ, ଅପ୍ରମାଣିତ ଓ ନିୟମ ବିରୋଧୀ” ଦର୍ଶାଇ ଖାରଜ କରିଥିଲା। ଏବେ ସ୍ପିକରଙ୍କ ସେହି ନିଷ୍ପତ୍ତି ଉପରେ ହାଇକୋର୍ଟ କଣ ରାୟ ଦେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।