ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ପଶ୍ଚିମ ଏସିଆରେ କ୍ରମାଗତ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଉଭୟ ନେତାଙ୍କ ଏହି ଆଲୋଚନା ଅତ୍ୟନ୍ତ ଗୁରୁତ୍ୱବହନ କରୁଛି।
ବୈଠକ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତ ଦୁଇ ସପ୍ତାହ ମଧ୍ୟରେ ଉଭୟ ନେତାଙ୍କ ଏହା ଦ୍ୱିତୀୟ ସାକ୍ଷାତ। ଏହା ପୂର୍ବରୁ ଅଗଷ୍ଟ ୩୧ ତାରିଖରେ ବିଶକେକଠାରେ ଅନୁଷ୍ଠିତ ଏସସିଓ ଶିଖର ସମ୍ମିଳନୀ ସମୟରେ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ବର୍ତ୍ତମାନର ଜଟିଳ ପରିସ୍ଥିତି ସତ୍ତ୍ୱେ ବ୍ରିକ୍ସ ସମ୍ବନ୍ଧୀୟ ବିଭିନ୍ନ ବୈଠକରେ ଇରାନର ସକ୍ରିୟ ଓ ନିୟମିତ ଅଂଶଗ୍ରହଣକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି।
ଏହି ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ସହ ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଗଭୀର ମତବିନିମୟ ହୋଇଛି। ସମସ୍ତ ବିବାଦୀୟ ପ୍ରସଙ୍ଗର ସମାଧାନ କେବଳ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପୁଣିଥରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହାସହ ସମୁଦ୍ର ମାର୍ଗରେ ବାଣିଜ୍ୟର ମୁକ୍ତ ପ୍ରବାହ, ନାବିକମାନଙ୍କ ସୁରକ୍ଷା ଏବଂ କ୍ଷେତ୍ରସ୍ଥ ସ୍ଥାୟୀ ଶାନ୍ତି ବଜାୟ ରଖିବା ପାଇଁ ନିରନ୍ତର ପ୍ରୟାସ ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।
ଧାର୍ମିକ ନେତା ଏବଂ ବ୍ୟବସାୟୀଙ୍କୁ ଭେଟିବେ ଇରାନ ରାଷ୍ଟ୍ରପତି
ବ୍ରିକ୍ସ କାର୍ଯ୍ୟକ୍ରମ ବ୍ୟତୀତ, ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ୍ ଭାରତର କିଛି ପ୍ରମୁଖ ଧାର୍ମିକ ଗୁରୁ, ବୁଦ୍ଧିଜୀବୀ ଏବଂ ବ୍ୟବସାୟୀମାନଙ୍କୁ ଭେଟିବାର କାର୍ଯ୍ୟରସ ରହିଛି। ଏହି ପରିପ୍ରେକ୍ଷୀରେ 'ଷ୍ଟାଣ୍ଡ ୱିଥ୍ ଇରାନ'କାର୍ଯ୍ୟକ୍ରମ ସହ ଜଡ଼ିତ କିଛି ସ୍ୱତନ୍ତ୍ର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଠାରେ ମିନାବ୍ ଆକ୍ରମଣରେ ପ୍ରାଣ ହରାଇଥିବା ନିରୀହ ଶିଶୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
Also Read: ପିଲା ଜନ୍ମ କରିବେ, ଆଉ ପୁରୁଷମାନେ ପଦକ ଜିତିବେ: ଭିନେଶ ଫୋଗାଟ୍ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ