ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୂଟନୈତିକ ବ୍ୟବହାର ଏବଂ ବନ୍ଧୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ପୁଣିଥରେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ସମ୍ମିଳନୀ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୁଇଟି ଭିନ୍ନ ଚିତ୍ର ସାମ୍ନାକୁ ଆସିଛି, ଯାହା ବର୍ତ୍ତମାନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛି।
ବ୍ରିକ୍ସ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ଭେଟିବା ସମୟରେ ଅତ୍ୟନ୍ତ ଆପ୍ୟାୟିତ ଭାବେ ତାଙ୍କ ହାତ ଧରିଥିବାର ନଜର ଆସିଥିଲେ। ଚାଲିଥିବା ଯୁଦ୍ଧ ଓ କୂଟନୈତିକ ତିକ୍ତତା ମଧ୍ୟରେ ଭାରତର ଏଭଳି ନିରପେକ୍ଷ ତଥା ଶାନ୍ତିପୂର୍ଣ୍ଣ ଆଭିମୁଖ୍ୟ ସମଗ୍ର ବିଶ୍ୱକୁ ଏକ ସକରାତ୍ମକ ବାର୍ତ୍ତା ଦେଇଛି। ଭାରତ ସବୁବେଳେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇଆସିଥିବା ବେଳେ ଏହି ଭେଟଘାଟ ତାହାକୁ ଆହୁରି ପ୍ରମାଣିତ କରିଛି।
ରୁଷିଆ ରାଷ୍ଟ୍ରପତିଙ୍କୁ କୋଳାଗ୍ରହଣ
ଅନ୍ୟପକ୍ଷରେ, ଘନିଷ୍ଠ ବନ୍ଧୁ ତଥା ରୁଷିଆ ରାଷ୍ଟ୍ରପତିଙ୍କୁ ଭେଟିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ନେହର ସହ କୋଳାଗ୍ରତ କରିଥିଲେ। ଭାରତ ଏବଂ ରୁଷିଆ ମଧ୍ୟରେ ଥିବା ପୁରୁଣା ଏବଂ ମଜଭୁତ ରଣନୈତିକ ସମ୍ପର୍କର ଏହା ଏକ ଜୀବନ୍ତ ଉଦାହରଣ ବୋଲି ବିଶ୍ୱ ବିଶ୍ଳେଷକମାନେ ମତ ଦେଇଛନ୍ତି। ପାଶ୍ଚାତ୍ୟ ଦେଶଗୁଡ଼ିକର ଚାପ ସତ୍ତ୍ୱେ ଭାରତ ଯେ ନିଜର ପୁରୁଣା ବନ୍ଧୁମାନଙ୍କ ସହ ସମ୍ପର୍କ ଅକ୍ଷୁର୍ଣ୍ଣ ରଖିଛି, ତାହା ଏହି ଦୃଶ୍ୟରୁ ସ୍ପଷ୍ଟ ହୋଇଛି।
ବିଶ୍ୱକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ସନ୍ଦେଶ
ବ୍ରିକ୍ସ ଶିଖର ସମ୍ମିଳନୀର ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱକୁ ଏହା ସ୍ପଷ୍ଟ କରିଛନ୍ତି ଯେ ଭାରତ କାହାରି ବିରୋଧରେ ନୁହେଁ, ବରଂ ସମସ୍ତଙ୍କ ସହ ଶାନ୍ତି, ସହଯୋଗ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବାରେ ବିଶ୍ୱାସ କରେ। ବିଶ୍ୱ ରାଜନୀତିରେ ଏଭଳି ସନ୍ତୁଳିତ ନୀତି ଭାରତର ପ୍ରଭାବକୁ ଆହୁରି ଅଧିକ ଦୃଢ଼ କରିଛି।
Also Read: ମୋଦୀ- ପୁଟିନଙ୍କ ସାକ୍ଷାତରେ ବନ୍ଧୁତା, ବ୍ୟବସାୟ ଓ କୂଟନୀତି… G7 କୁ ବି ବାର୍ତ୍ତା