ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ନାମ ଓ ଚିହ୍ନ ପରିବର୍ତ୍ତନ ନେଇ ଦଳର ମୁଖିଆ ମମତା ବାନାର୍ଜୀ ସୁପ୍ରିମକୋର୍ଟରେ କରିଥିବା ଆବେଦନର ଗୁରୁବାର ଶୁଣାଣି ହୋଇଛି । ଟିଏମସି ନିର୍ବାଚନୀ ଚିହ୍ନର ମାମଲା କେବେ ସୁଦ୍ଧା ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ଭାରତୀୟ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ । ତୁରନ୍ତ ଏକ ସମ୍ଭାବ୍ୟ ଓ ଉଚିତ ସମୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ବାଚନ ଆୟୋଗଙ୍କ ବିରୁଦ୍ଧରେ ମମତା ବାନାର୍ଜୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ତୃଣମୂଳ କଂଗ୍ରେସର ନାମ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ଏକ ବିବାଦ ପରେ ମମତା ଏହି ଆବେଦନ ଦାଖଲ କରିଛନ୍ତି । ନିର୍ବାଚନ ଆୟୋଗ ନିକଟରେ ଟିଏମସି (TMC) ଦଳର ନାମ, 'ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ' ଏବଂ ଏହାର ପୁରୁଣା 'ଘାସ ଓ ଫୁଲ' ନିର୍ବାଚନୀ ଚିହ୍ନକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ମମତା ବାନାର୍ଜୀଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ପଚାରିଥିଲେ ଯେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହୋଇସାରିବା ପରେ ଆୟୋଗ କାହିଁକି ଏହି ନିର୍ଦ୍ଦେଶ ଜାରି କଲେ, ଯେତେବେଳେ କି ସେମାନଙ୍କ ପାଖରେ ଜୁଲାଇ ମାସରେ ହିଁ ଏହି ନିର୍ଦ୍ଦେଶ ଜାରି କରିବାର ବିକଳ୍ପ ଥିଲା । ତାଙ୍କ ପକ୍ଷରୁ ଆୟୋଗଙ୍କ ନିକଟରେ ଅନେକ ଥର ନିଜର ପକ୍ଷ ରଖାଯାଇଥିଲା । କିନ୍ତୁ ସେତେବେଳେ ଆୟୋଗ କୌଣସି ପ୍ରକାର ନିଷ୍ପତି ନିଆଯାଇଥିଲା । ନିର୍ବାଚନ ପାଖେଇ ଆସୁଥିବାବେଳେ ଆୟୋଗ ଏଭଳି ନିଷ୍ପତି ନେଇଛନ୍ତି ।
କପିଲ ସିବଲ ଯୁକ୍ତି ଦର୍ଶାଇଛନ୍ତି ଯେ ଯଦି ନିର୍ବାଚନ ଆୟୋଗଙ୍କ ନିଷ୍ପତି କାଏମ ରୁହେ ତେବେ ଆଗାମୀ ଦିନରେ ଆୟୋଗ ବାରମ୍ବାର ନିର୍ବାଚନ ପୂର୍ବରୁ ଏଭଳି ନିଷ୍ପତି ନେବେ । ସେ କହିଛନ୍ତି ଯେ ନିର୍ବାଚନ ରଦ୍ଦ କରିବାକୁ କହୁ ନାହାଁନ୍ତି କିନ୍ତୁ ଆୟୋଗ ତୁରନ୍ତ ଏହି ସମସ୍ୟାର ସମାଧାନ କରିବା ଉଚିତ ।
ଶୁଣାଣି ସମୟରେ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ ଯେ ଏଭଳି ପରିସ୍ଥିତିରେ ନିର୍ବାଚନ ଆୟୋଗ ଆଉ କ’ଣ କରିପାରିଥାନ୍ତେ, କାରଣ ଉଭୟ ପକ୍ଷରୁ ଦାଖଲ କରାଯାଇଥିବା ଦାବି ଓ ଦସ୍ତାବିଜକୁ ବିଚାରକୁ ନେବାକୁ ପଡ଼ିଥାଏ। ଅନ୍ୟପକ୍ଷରେ, ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉପସ୍ଥିତ ଥିବା ଓକିଲମାନେ ତରବରିଆ ଭାବେ ଏକ ସମୟସୀମା ଧାର୍ଯ୍ୟ କରାଯିବାକୁ ନେଇ ଆପତ୍ତି ଉଠାଇଥିଲେ। ଏନ୍.କେ. କୌଲ୍ କହିଥିଲେ ଯେ ଆୟୋଗଙ୍କୁ କାଗଜପତ୍ର ଓ ପ୍ରମାଣ ଯାଞ୍ଚ କରିବାକୁ ପଡ଼ିବ । ତେଣୁ ନିଷ୍ପତ୍ତି ପାଇଁ ଏକ ମାସର ସମୟସୀମା ଧାର୍ଯ୍ୟ କରିବା ଉଚିତ୍ ହେବ ନାହିଁ ।
ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଶିବସେନା ମଧ୍ୟରେ ଥିବା ଗୋଷ୍ଠୀଗତ ବିବାଦର ମଧ୍ୟ ଉଲ୍ଲେଖ କରିଥିଲେ । ଦଳର ନାମ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ଏହି ବିବାଦ ସୃଷ୍ଟି ହୋଇଥିଲା।