ଲକ୍ଷ୍ନୌ: କଂଗ୍ରେସ ହାଇକମାଣ୍ଡ ଉତ୍ତରପ୍ରଦେଶ (UP) ରାଜନୀତିରେ ଏକ ବଡ଼ଧରଣର ପରିବର୍ତ୍ତନ କରିଛନ୍ତି। ରାମପୁର ଖାସ୍ ଆସନରୁ ବିଧାୟିକା ଥିବା ଆରାଧନା ମିଶ୍ରଙ୍କୁ ୟୁପି କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ସାଙ୍ଗକୁ ପୂର୍ବତନ ଅଧ୍ୟକ୍ଷ ଅଜୟ ରାୟଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଶୁକ୍ରବାର ଦିନ କଂଗ୍ରେସ ସଭାପତି ତତ୍କାଳ ପ୍ରଭାବରୁ ଉତ୍ତରପ୍ରଦେଶ କଂଗ୍ରେସ କମିଟିର ନୂତନ ପଦାଧିକାରୀଙ୍କ ତାଲିକା ଘୋଷଣା କରିଛନ୍ତି।
ନୂତନ କମିଟିରେ ବରିଷ୍ଠ ନେତା ଇମ୍ରାନ ମସୁଦଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ଦେବିନ୍ଦର ନିଷାଦ ଏବଂ ଆଲୋକ ପ୍ରସାଦଙ୍କୁ ବରିଷ୍ଠ ଉପାଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଛି। ଏହା ସହିତ ଚୌଧୁରୀ ବୀରନ୍ଦ୍ର ସିଂହଙ୍କୁ ଉତ୍ତରପ୍ରଦେଶ କଂଗ୍ରେସ ବିଧାୟକ ଦଳର ନେତା ଭାବେ ମନୋନୟନ କରାଯାଇଛି। ପାର୍ଟି ପକ୍ଷରୁ ପୂର୍ବତନ ଅଧ୍ୟକ୍ଷ ଅଜୟ ରାୟଙ୍କ ଅବଦାନକୁ ପ୍ରଶଂସା କରାଯାଇଛି।
ବ୍ରାହ୍ମଣ ଏବଂ ମହିଳା ଭୋଟ୍ ବ୍ୟାଙ୍କ୍ ଉପରେ କଂଗ୍ରେସର ନଜର
ରାଜନୈତିକ ବିଶ୍ଳେଷକଙ୍କ ମତରେ, ଆରାଧନା ମିଶ୍ରଙ୍କୁ ଏହି ଗୁରୁ ଦାୟିତ୍ୱ ଦେବା ପଛରେ ଦଳର ରଣନୀତି ସ୍ପଷ୍ଟ। ଆରାଧନା ହେଉଛନ୍ତି ୟୁପିର ଜଣାଶୁଣା ବ୍ରାହ୍ମଣ ନେତା ତଥା ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀଙ୍କ କନ୍ୟା। ସେ ୟୁପି କଂଗ୍ରେସର ଜଣେ ପ୍ରମୁଖ ମହିଳା ଚେହେରା ହୋଇଥିବା ବେଳେ ରାମପୁର ଖାସ୍ ଆସନରୁ କ୍ରମାଗତ ଭାବେ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି।
ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଏବଂ ଏମବିଏ (MBA) କରିଥିବା ଆରାଧନାଙ୍କ ନେତୃତ୍ୱରେ ଦଳ ଆଗାମୀ ଦିନରେ ମହିଳା ଏବଂ ବ୍ରାହ୍ମଣ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି।