ଭୁବନେଶ୍ୱର: ଜାପାନରେ ଅନୁଷ୍ଠିତ ୨୦୨୬ ଏସିଆନ୍ସ ଗେମ୍ସରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ସ୍ୱର୍ଣ୍ଣପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି । ଦେଶର ଏହି ଆନନ୍ଦ ଓ ଗୌରବମୟ ମୁହୂର୍ତ୍ତରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଟେଲିଫୋନ ଯୋଗେ ଜାତୀୟ ପୁରୁଷ ଦଳରେ ସାମିଲ ଥିବା ଓଡ଼ିଆ ଖେଳାଳୀ ଅମିତ ରୋହିଦାସ ଏବଂ ଶିଳାନନ୍ଦ ଲାକ୍ରାଙ୍କ ସହ କଥା ହୋଇ ସେମାନଙ୍କୁ ସାଢ଼େ ଚାରିକୋଟି ରାଜ୍ୟବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ଅମିତ ରୋହିଦାସଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍କୁ ପ୍ରଶଂସା କରିବା ସହ ଶିଳାନନ୍ଦଙ୍କ ଗୋଲ୍ ପାଇଁ ଗର୍ବିତ ବୋଲି କହିଥିଲେ । ଆପଣ ଦୁଇଜଣ ଦେଶର ଯୁବବର୍ଗଙ୍କ ପାଇଁ ପ୍ରେରଣା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସାଢ଼େ ଚାରିକୋଟି ଓଡ଼ିଶା ବାସୀଙ୍କ ଶୁଭକାମନା ଆପଣମାନଙ୍କ ସହିତ ସବୁବେଳେ ଅଛି ଓ ରହିବ ବୋଲି ସେ କହିଥିଲେ ।
ଆପଣମାନଙ୍କ ଓଡ଼ିଶା ଫେରିବା ବାଟକୁ ଆମେ ସମସ୍ତେ ଚାହିଁ ରହିଛୁ ବୋଲି ସେ କହିଥିଲେ । ଆଜି ସମଗ୍ର ଓଡ଼ିଶା ଆପଣମାନଙ୍କ ପାଇଁ ଗର୍ବ ଅନୁଭବ କରୁଛି, ଆପଣମାନେ ଆଗକୁ ଆହୁରି ବିଜୟ ଲାଭ କରି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ କାମନା କରିଥିଲେ ।
ଉଲ୍ଲେଖନୀୟ, ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ହକି ଦଳ ଏକ ବଡ଼ ସଫଳତା ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଚି। ଫାଇନାଲ୍ ମୁକାବିଲାରେ ଟିମ୍ ଇଣ୍ଡିଆ ମାଲେସିଆକୁ ୫-୧ ଗୋଲରେ ପରାସ୍ତ କରିଛି। ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପୁରୁଷ ହକିରେ ପଞ୍ଚମଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିବାର ଗୌରବ ଅର୍ଜନ କରିଛି। ଏହି ବିଜୟ ସହିତ ଭାରତୀୟ ପୁରୁଷ ହକି ଟିମ୍ ସିଧାସଳଖ ଆଗାମୀ ଅଲିମ୍ପିକ୍ସ ୨୦୨୮ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିନେଇଛି।