ନୂଆଦିଲ୍ଲୀ: ଅଭିଷେକ ଶର୍ମା ଓ ତିଳକ ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ଶାଣିତ ବୋଲିଂ। ପାରମ୍ପରି ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୧୯ ରନରେ ହରାଇ ସ୍ଵର୍ଣ୍ଣ ପଦକ ଜିତିଛି ଭାରତ। ଭାରତୀୟ ମହିଳା କ୍ରିକେଟ୍ ଦଳ ପରେ ପୁରୁଷ ଦଳ ଗୋଲ୍ଡ ଜିତି ଭାରତକୁ ଗୌରବାନ୍ଵିତ କରିଛନ୍ତି। ଏସିଆନ ଗେମ୍ସ ୨୦୨୬ର ଫାଇନାଲ୍ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୨୧୧ ରନ କରିଥିଲା, ଆଉ ପାକିସ୍ତାନ ସାମ୍ନାରେ ଥିଲା ବିଶାଳ ୨୧୨ ରନର ବିଜୟ ଲକ୍ଷ୍ୟ। ଜବାବରେ ପାକିସ୍ତାନ ୬ ଓ୍ଵିକେଟ୍ ହରାଇ ୧୯୨ ରନ କରି ପାରିଥିଲା।
ପାକିସ୍ତାନର ଲଢ଼ୁଆ ପ୍ରୟାସ
ବିଶାଳ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ପାକିସ୍ତାନ ଆରମ୍ଭରୁ ସତର୍କତା ଅବଲମ୍ବନ କରିଥିଲା। ଅଧିନାୟକ ସାହିବଜାଦା ଫରହାନ୍ (୧୦) ଏବଂ ମାଜ୍ ସଦାକତ୍ (୨୩) ପ୍ରଥମ ୱିକେଟ୍ ପାଇଁ ୩୩ ରନ୍ ଯୋଡ଼ିଥିଲେ। ଚତୁର୍ଥ ଓଭରରେ ୱାଶିଂଟନ୍ ସୁନ୍ଦର ଫରହାନ୍ଙ୍କୁ ଆଉଟ୍ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଏହାପରେ ପାକିସ୍ତାନର ସ୍କୋର ୩୯ ରନ୍ରେ ୩ ୱିକେଟ୍ ହୋଇଯାଇଥିଲା। ଅକ୍ଷର ପଟେଲ୍ ଘାତକ ବୋଲିଂ କରି ଉସମାନ୍ ଖାନ୍ ଏବଂ ମାଜ୍ ସଦାକତ୍ଙ୍କୁ ପାଭିଲିୟନ ପଠାଇଥିଲେ।
ତେବେ, ହସନ ନୱାଜ ଏବଂ ସଇମ୍ ଆୟୁବ ଚତୁର୍ଥ ୱିକେଟ୍ ପାଇଁ ୮୭ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରି ଦଳକୁ ମ୍ୟାଚ୍କୁ ଫେରାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶିବମ ଦୁବେ ୧୫ତମ ଓଭରରେ ସଇମ୍ ଆୟୁବ (୨୯)ଙ୍କୁ ଆଉଟ୍ କରି ଭାରତକୁ ବଡ଼ ସଫଳତା ଦେଇଥିଲେ। ପାକିସ୍ତାନ ପକ୍ଷରୁ ଅବଦୁଲ ସମଦ (୯) ମଧ୍ୟ କିଛି ଖାସ୍ କରିପାରି ନଥିଲେ ଏବଂ ଶେଷ ମୁହୂର୍ତ୍ତରେ ଭାରତୀୟ ବୋଲରଙ୍କ ନିୟନ୍ତ୍ରିତ ବୋଲିଂ ଆଗରେ ପାକିସ୍ତାନୀ ବ୍ୟାଟର ବଡ ସଟ୍ ଖେଳି ପାରି ନ ଥିଲେ। ହସନ ନଓ୍ଵାଜ ଶେଷ ଓଭର ପର୍ଯ୍ୟନ୍ତ ଲଢିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନାହାନ୍ତି। ସେ ୯୬ ରନ ରନର ଦମଦାର ଇନିଂସ ଖେଳିଛନ୍ତି।
ଅଭିଷେକ ଏବଂ ତିଲକଙ୍କ ବିସ୍ଫୋରକ ବ୍ୟାଟିଂ
ଏହାପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୧ ରନ୍ କରିଥିଲା। ଟି-୨୦ କ୍ରିକେଟ୍ ଇତିହାସରେ ପାକିସ୍ତାନ ବିପକ୍ଷରେ ଏହା ଭାରତର ସର୍ବୋଚ୍ଚ ସ୍କୋର ଅଟେ। ଭାରତୀୟ ଆରମ୍ଭ ଭଲ ନଥିଲା ଏବଂ ଓପନର ବୈଭବ ସୂର୍ଯ୍ୟବଂଶୀ (୧୫) ଓ ସଞ୍ଜୁ ସାମସନ୍ (୨) ଶୀଘ୍ର ଆଉଟ୍ ହୋଇଯାଇଥିଲେ।
କିନ୍ତୁ ପରେ ଓପନର ଅଭିଷେକ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ମାତ୍ର ୨୮ ବଲ୍ରୁ ୩ଟି ଚୌକା ଏବଂ ୭ଟି ମନଲୁଭା ଛକା ସହାୟତାରେ ୬୧ ରନ୍ର ଧୂଆଁଧାର ଇନିଂସ ଖେଳିଥିଲେ। ଶ୍ରେୟସ ଆୟର (୨୧) ଏବଂ ଇଶାନ କିଶନ (୨୦) ମଧ୍ୟ କିଛି ମହତ୍ତ୍ୱପୂର୍ଣ୍ଣ ରନ୍ ଯୋଡ଼ିଥିଲେ। ଶେଷ ଆଡ଼କୁ ଶିବମ ଦୁବେ (୨୭) ଏବଂ ଉପ-ଅଧିନାୟକ ତିଲକ ବର୍ମାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଶେଷ ୪ ଓଭରରେ ୬୯ ରନ୍ ସଂଗ୍ରହ କରିଥିଲା।
ତିଲକ ବର୍ମା ମାତ୍ର ୨୨ ବଲ୍ରୁ ୩ଟି ଚୌକା ଓ ୪ଟି ଛକା ସହାୟତାରେ ଅପରାଜିତ ୫୧ ରନ୍ର ବିଧ୍ୱଂସୀ ଇନିଂସ ଖେଳି ଦଳକୁ ଏକ ବିଶାଳ ସ୍କୋରରେ ପହଞ୍ଚାଇଥିଲେ, ଯାହା ଶେଷରେ ସ୍ୱର୍ଣ୍ଣ ପଦକ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।