ଭୁବନେଶ୍ୱର: ଭୁବନେଶ୍ୱରଠାରେ ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ୟାପ୍ଟେନ୍ ତଥା କିମ୍ବଦନ୍ତୀ ଖେଳାଳି କପିଲ ଦେବ କ୍ରୀଡ଼ା ଏବଂ ଦେଶର ବିକାଶ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ଆଗାମୀ ଦିନରେ ଓଡ଼ିଶା କେବଳ ପର୍ଯ୍ୟଟନ କ୍ଷେତ୍ରରେ ନୁହେଁ, ବରଂ ଭାରତର ‘ସ୍ପୋର୍ଟ୍ସ ହବ୍’ ବା କ୍ରୀଡ଼ାର ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।
କପିଲ ଦେବ କହିଛନ୍ତି ଯେ ଯେକୌଣସି ଦେଶ ନିଜର କ୍ରୀଡ଼ା ଏବଂ କ୍ରୀଡ଼ାବିତ୍ମାନଙ୍କ ଜରିଆରେ ବିଶ୍ୱରେ ପରିଚିତ ହୋଇଥାଏ ଏବଂ ଆଜି ଆମ ଦେଶ କ୍ରୀଡ଼ା କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏସୀୟ କ୍ରୀଡ଼ା ତଥା ଅଲିମ୍ପିକ୍ସରେ ଆମର ଆଥଲେଟ୍ମାନେ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ସେ ସ୍ୱତନ୍ତ୍ର ଭାବେ ମତ ଦେଇଛନ୍ତି ଯେ ଓଡ଼ିଶା କେବଳ ପର୍ଯ୍ୟଟନ ନୁହେଁ, ବରଂ ଭାରତୀୟ ହକିକୁ ଆଗକୁ ବଢ଼ାଇବାରେ ଏକ ବିଶାଳ ଭୂମିକା ଗ୍ରହଣ କରିଛି। ଆଜି ଆମେ ଗର୍ବର ସହ କହିପାରିବା ଯେ ଆଗାମୀ ଦିନରେ ଓଡ଼ିଶା କେବଳ ପର୍ଯ୍ୟଟନ କ୍ଷେତ୍ରରେ ନୁହେଁ, ବରଂ ଭାରତର ‘ସ୍ପୋର୍ଟ୍ସ ହବ୍’ ବା କ୍ରୀଡ଼ାର ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହେବ।