ମୁଲ୍ଲାନପୁର: ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାପୁରରେ ଖେଳାଯାଇଥିବା ରୋମାଞ୍ଚକର ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ବିପକ୍ଷରେ ଏକ ବିରଳ ଏବଂ ଐତିହାସିକ ବିଜୟ ହାସଲ କରିଛି ୱେଷ୍ଟଇଣ୍ଡିଜ୍। ଭାରତୀୟ ଦଳ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିଶାଳ ୩୫୧ ରନ୍ର ଲକ୍ଷ୍ୟକୁ ପିଛା କରି କ୍ୟାରିବିୟନ୍ ଦଳ ୫ ୱିକେଟ୍ରେ ମ୍ୟାଚ୍ ଜିତି ନେଇଛି। ୱେଷ୍ଟଇଣ୍ଡିଜ୍ ଅଧିନାୟକ ଶାଇ ହୋପ୍ଙ୍କ ଅପରାଜିତ ୧୬୨ ରନ୍ର ଦମଦାର ପାଳି ବଳରେ ଦଳ ଏହି ସଫଳତା ହାସଲ କରିଛି। ଦିନିକିଆ କ୍ରିକେଟ୍ ଇତିହାସରେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଏହା ହେଉଛି ସବୁଠାରୁ ବଡ଼ ସଫଳ ରନ୍ ଚେଜ୍। ତେବେ ଏହି ମ୍ୟାଚ୍ ହାରିବା ସତ୍ତ୍ୱେ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୧ ବ୍ୟବଧାନରେ ନିଜ ନାମରେ କରିଛି।
ଶାଇ ହୋପ୍ଙ୍କ ଐତିହାସିକ ଇନିଂସ୍
ଓ୍ୱେଷ୍ଟଇଣ୍ଡିଜ୍ ପାଇଁ ପାଳି ଆରମ୍ଭ କରିଥିବା ଅଧିନାୟକ ଶାଇ ହୋପ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ସ୍ମରଣୀୟ ବିଜୟ ଦେଇଛନ୍ତି । ସେ ମାତ୍ର ୧୪୩ ବଲ୍ରୁ ଅପରାଜିତ ୧୬୨ ରନ୍ର ଏକ ମନୋମୁଗ୍ଧକର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୭ଟି ଚୌକା ଏବଂ ୩ଟି ବିଶାଳ ଛାକା ସାମିଲ ଥିଲା।
୩୫୨ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ଆରମ୍ଭରୁ ବଡ଼ ଝଟକା ପାଇଥିଲା। ମୁଖ୍ୟ ଓପନର୍ ଜ୍ୱେଲ ଆଣ୍ଡ୍ର୍ୟୁ ଫିଲ୍ଡିଂ ସମୟରେ ଆହତ ହୋଇ ହସ୍ପିଟାଲ୍ ଚାଲିଯାଇଥିବାରୁ ବ୍ୟାଟିଂ କରିବାକୁ ଆସିପାରି ନଥିଲେ। ତେଣୁ ଶାଇ ହୋପ୍ଙ୍କ ସହ ଜନ୍ କ୍ୟାମ୍ପବେଲ୍ ଓପନିଂ କରିବାକୁ ଆସିଥିଲେ। କ୍ୟାମ୍ପବେଲ୍ ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ, ଶାଇ ହୋପ୍ ଏବଂ ଆମିର୍ ଜଙ୍ଗୁ ଭାରତୀୟ ବୋଲରଙ୍କୁ ଜୋରଦାର କାଉଣ୍ଟର ଆଟାକ୍ କରିଥିଲେ।
ରୋମାଞ୍ଚକର ମୋଡ଼ରେ ମ୍ୟାଚ୍
ଦ୍ୱିତୀୟ ୱିକେଟ୍ ପାଇଁ ହୋପ୍ ଏବଂ ଆମିର୍ ଜଙ୍ଗୁ ୧୦୯ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଆମିର୍ ୫୬ ବଲ୍ରୁ ୬୭ ରନ୍ (୫ ଚୌକା, ୧ ଛକା) କରି ଆଉଟ୍ ହୋଇଥିଲେ। ଏହାପରେ ଶର୍ଫେନ୍ ରଡରଫୋର୍ଡ (୨୪ ରନ୍) ମଧ୍ୟ ପାଭିଲିୟନ୍ ଫେରିଥିଲେ। ୩୦ ଓଭର ସୁଦ୍ଧା ୱେଷ୍ଟଇଣ୍ଡିଜ୍ ୩ ୱିକେଟ୍ ହରାଇ ୨୦୬ ରନ୍ କରିଥିଲା। ଏହାପରେ ଲାଗୁଥିଲା ଯେ ଶାଇ ହୋପ୍ଙ୍କ ବ୍ୟତୀତ ଅନ୍ୟ କୌଣସି ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ନଥିବାରୁ ଭାରତ ଏହି ମ୍ୟାଚ୍କୁ ସହଜରେ ଜିତିନେବ।
କିନ୍ତୁ ଅଲରାଉଣ୍ଡର କିମୋ ପଲ୍ (୩୫ ବଲ୍ରୁ ୪୪ ରନ୍) ଏବଂ ମ୍ୟାଥ୍ୟୁ ଫୋର୍ଡ (୭ ରନ୍) ଅଧିନାୟକଙ୍କୁ କିଛି ମାତ୍ରାରେ ସହଯୋଗ କରିଥିଲେ। ୪୪ ଓଭର ବେଳକୁ ୨୯୦ ରନ୍ରେ ୫ ୱିକେଟ୍ ପଡ଼ିଯିବା ପରେ ଭାରତର ବିଜୟ ପ୍ରାୟ ନିଶ୍ଚିତ ହୋଇଯାଇଥିଲା। ମାତ୍ର ଅଧିନାୟକ ଶାଇ ହୋପ୍ ଆଶା ଛାଡ଼ି ନଥିଲେ ଏବଂ ଗୁଡାକେଶ ମୋତିଙ୍କ ସହ ମିଶି ଦଳକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ। ଶେଷ ଆଡ଼କୁ ଦଳ ଆବଶ୍ୟକୀୟ ରନ୍ ସଂଗ୍ରହ କରି ମ୍ୟାଚ୍କୁ ନିଜ କବ୍ଜାକୁ ନେଇଥିଲା।