ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦୀର୍ଘଦିନ ହେଲା ଖାଲି ପଡ଼ିଥିବା ହଜାର ହଜାର ଶିକ୍ଷକ ପଦବୀକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ନଭେମ୍ବର ମାସ ମଧ୍ୟରେ ୧,୪୩୫ଟି ପ୍ରଫେସର୍ ଏବଂ ଅଧ୍ୟାପକ ପଦବୀ ପୂରଣ କରିବାକୁ କୁଳାଧିପତି ତଥା ରାଜ୍ୟପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ତେବେ ମାତ୍ର ଦୁଇ ମାସରୁ କମ୍ ସମୟ ଭିତରେ ଏତେ ବଡ଼ ପ୍ରକ୍ରିୟା ଶେଷ କରିବାକୁ ହେବ ବୋଲି ନିର୍ଦ୍ଦେଶ ଆସିବା ପରେ ଏବେ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି (VC) ମାନଙ୍କର ଚିନ୍ତା ବଢ଼ିଯାଇଛି।
୧୭ଟି ମଧ୍ୟରୁ ୧୪ଟି ବିଶ୍ୱବିଦ୍ୟାଳୟରେ ଖାଲି ଅଛି ପଦବୀ
ମିଳିଥିବା ସୂଚନା ମୁତାବକ, ରାଜ୍ୟର ମୋଟ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୧୪ଟିରେ ବର୍ତ୍ତମାନ ପ୍ରାୟ ୧,୪୩୫ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି। ପୂର୍ବ ସରକାରଙ୍କ ସମୟରେ କୁଳପତି ଚୟନ ପ୍ରକ୍ରିୟା ଅଟକି ରହିଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିଗୁଡ଼ିକ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ବିଜେପି ସରକାର ଆସିବା ପରେ ସବୁ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ନିଯୁକ୍ତି ସରିଛି, କିନ୍ତୁ ଶିକ୍ଷକ ଚୟନ ହୋଇ ନପାରିବାରୁ ରାଜ୍ୟପାଳ ଏଥିରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି।
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବର୍ତ୍ତମାନ ପ୍ରାୟ ୧୬୬ଟି ପଦବୀ ଖାଲି ପଡ଼ିଛି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୪୩ଟି ପଦବୀ ଖାଲି ଅଛି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରତ୍ୟେକରେ ୧୦୦ଟିରୁ ଅଧିକ ପଦବୀ ଖାଲି ରହିଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ଶହେରୁ ଅଧିକ ଶିକ୍ଷକ ପୋଷ୍ଟ ଖାଲି ପଡ଼ିଥିବା ଜଣାପଡ଼ିଛି।
କାହିଁକି ବଢ଼ିଛି କୁଳପତିମାନଙ୍କ ଟେନସନ୍?
ରାଜ୍ୟପାଳଙ୍କ ନିର୍ଦ୍ଦେଶ ରହିଛି ଯେ, ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ଏଥିସହିତ ଗୁଣବତ୍ତା ଏବଂ ମେଧା ସହିତ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି।