ଭୁବନେଶ୍ଵର: ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଲକ୍ଷ୍ୟ ରଖି ଭାରତୀୟ ଜନତା ପାର୍ଟି (ବିଜେପି) ନିଜର ସଂଗଠନକୁ ଅଧିକ ଶକ୍ତିଶାଳୀ କରିବାକୁ ରଣନୀତି ପ୍ରସ୍ତୁତ କରିଛି। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ ହୋଇଛି। ଗସ୍ତ ସମୟରେ ସେ ଆଗାମୀ ନିର୍ବାଚନ ପାଇଁ ବିଶେଷ ରଣନୀତି ପ୍ରସ୍ତୁତ କରିବା ସହ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଏବଂ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି।
ଓଡ଼ିଶା ଗସ୍ତର ଦ୍ଵିତୀୟ ଦିନରେ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ ଦଳୀୟ ପଦାଧିକାରୀଙ୍କ ସହିତ 'ୱାନ ଟୁ ୱାନ' ଆଲୋଚନା କରିବା ପରେ ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀମଣ୍ଡଳର ସଦସ୍ୟ ଏବଂ ତମାମ ପଦାଧିକାରୀଙ୍କ ସହ ସେ ଏକ ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଏହି ବୈଠକରେ ପଞ୍ଚାୟତ ଦଖଲ କରିବାର ଫର୍ମୁଲା ଏବଂ ଗ୍ରାଉଣ୍ଡରେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ, ସେନେଇ ସେ ବଡ଼ ମନ୍ତ୍ର ଦେଇଛନ୍ତି।
ମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ବିରୋଧୀଙ୍କୁ କିପରି ଚେକ୍ ଦିଆଯିବ, ତାହାକୁ ପ୍ରଭାରୀ ବିଶେଷ ଗୁରୁତ୍ଵ ଦେଇଛନ୍ତି। ବର୍ତ୍ତମାନ ଦଳର ସ୍ଥିତି କ'ଣ ରହିଛି, କେଉଁଠି ଦଳ ସୁଦୃଢ଼ ରହିଛି ଏବଂ କେଉଁଠି ଦଳକୁ ଅଧିକ ଶକ୍ତିଶାଳୀ ହେବାକୁ ପଡ଼ିବ, ସେ ବାବଦରେ ସେ ରାଜ୍ୟ ନେତୃତ୍ଵଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ବିରୋଧୀଙ୍କ ଆକ୍ରମଣାତ୍ମକ ରଣନୀତିକୁ କିପରି କାଉଣ୍ଟର କରାଯିବ, ସେ ବାବଦରେ ମଧ୍ୟ ସେ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷରେ, ବିଜେପିକୁ ଅଚାନକ କ୍ଷମତାକୁ ଆସିଯାଇଥିବା ଦଳ ଭାବୁଥିବା ବିରୋଧୀମାନେ ପଞ୍ଚାୟତ ନିର୍ବାଚନରେ ଶାସକ ଦଳକୁ ମାତ୍ ଦେବା ପାଇଁ ଅପେକ୍ଷାରେ ରହିଛନ୍ତି। ଏଥିପାଇଁ ସେମାନେ ଜୋରଦାର ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି। ବିଜେଡି ମାସବ୍ୟାପି ପଦଯାତ୍ରା କରି ଗାଁ-ଗାଁରେ ପହଞ୍ଚିବାକୁ ବଳ ଲଗାଇଥିବା ବେଳେ, ବିଜେଡି ସବୁବେଳେ ଗ୍ରାଉଣ୍ଡରେ ରହେ ବୋଲି ଦଳୀୟ ବିଧାୟକ ଶାସକ ଦଳକୁ ଚ୍ୟାଲେଞ୍ଜ କରିଛନ୍ତି।
ସେହିପରି ସରକାରଙ୍କ ଅଢ଼େଇ ବର୍ଷର କାର୍ଯ୍ୟକାଳ ଭିତରେ ବିଜେପିର ଲୋକପ୍ରିୟତା ତଳକୁ ଖସୁଥିବା ଅଭିଯୋଗ ଆଣିଛି କଂଗ୍ରେସ। ଦଳ ଦାବି କରିଛି ଯେ, ବର୍ତ୍ତମାନ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢ଼ୁଛି ଏବଂ ଶାସକ ଦଳର ସବୁ ଯୋଜନାକୁ ଜନସାଧାରଣ ପ୍ରତ୍ୟାଖ୍ୟାନ କରିବେ। ଶେଷରେ, ଶାସକ ଦଳର କୌଣସି ରଣନୀତି ଆଗାମୀ ନିର୍ବାଚନରେ କାମ ଦେବ ନାହିଁ ବୋଲି ବିରୋଧୀମାନେ ଦମ୍ଭ ଦେଖାଇଛନ୍ତି।