ଯାଜପୁର ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଘଟଣା ପରେ ପ୍ରଣବ ପଣିକୋଇଲି ଏସ୍ପି ଅଫିସ୍ ସମ୍ମୁଖରେ ଧାରଣା ଦେଇଥିବା ସୂଚନା ମିଳିଛି।ଜେନାପୁର ଥାନା ଅନ୍ତର୍ଗତ ଗଡ଼ ମଧୁପୁର ପଞ୍ଚାୟତର ପନ୍ତୁରି ଗାଁରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଅକ୍ଟୋବର ୨ ତାରିଖରୁ ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ତେଣୁ ପ୍ରଣବ ବଳବନ୍ତରାୟ ମଧ୍ୟ ଧର୍ମଶାଳା ଅଞ୍ଚଳରେ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି । ରବିବାର ପନ୍ତୁରି ଗାଁରେ ଏକ କର୍ମୀ ସମାବେଶ ଚାଲିଥିବା ବେଳେ ହଠାତ୍ କିଛି ଲୋକ ସେଠାରେ ପହଞ୍ଚି ଗାଡ଼ି ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ପ୍ରଣବଙ୍କ ଗାଡ଼ି ଉପରକୁ ପାନଛେପ ଓ ଟେକାପଥର ଫୋପଡାଯାଇଥିଲା । ଏଥିରେ ଗାଡ଼ିରେ ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି। ଘଟଣା ସମୟରେ ପୁଲିସ ଉପସ୍ଥିତ ଥିବା ସତ୍ତ୍ୱେ ମଧ୍ଯ ଆକ୍ରମଣ ହୋଇଥିବା ପ୍ରଣବଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।
ଘଟଣା ପରେ ପ୍ରଣବ ବଳବନ୍ତରାୟ ଓ ତାଙ୍କ ସମର୍ଥକ ପଣିକୋଇଲି ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଆକ୍ରମଣ ପଛରେ କିଏ ରହିଛି ଏବଂ ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିନାହିଁ। ପୁଲିସ ଘଟଣାର ତଦନ୍ତ କରିବା ସହ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ପତ୍ତା ନେଉଥିବା ଜଣାପଡ଼ିଛି ।