ନୂଆଦିଲ୍ଲୀ: ଭୁବନେଶ୍ୱର କୁମାରଙ୍କ ଚମତ୍କାର ପ୍ରତ୍ୟାବର୍ତ୍ତନ ପରେ ଏବେ ଭାରତୀୟ କ୍ରିକେଟ୍ରେ ଆଉ କେତେଜଣ ଅଭିଜ୍ଞ ଏବଂ ପ୍ରତିଭାବାନ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭୁବିଙ୍କୁ ଚୟନ କରାଯିବା ପରେ, ଆଇପିଏଲ୍ (IPL) ଏବଂ ଘରୋଇ କ୍ରିକେଟ୍ରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିବା ଅନ୍ୟ ୩ ଜଣ ଖେଳାଳିଙ୍କୁ ନେଇ ମଧ୍ୟ ଆଶା ସଞ୍ଚାର ହୋଇଛି।
୧ - ମହମ୍ମଦ ଶାମି
ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ପୁଣିଥରେ ଟିମ୍ ଇଣ୍ଡିଆର ଦିନିକିଆ ଦଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ ଶେଷଥର ପାଇଁ ୨୦୨୫ ମାର୍ଚ୍ଚ ୯ ତାରିଖରେ ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପାଇଁ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଆଇପିଏଲ୍ ୨୦୨୬ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପକ୍ଷରୁ ଖେଳି ସେ ୧୩ ମ୍ୟାଚରୁ ୧୨ଟି ୱିକେଟ୍ ଅକ୍ତିକାର କରିଥିଲେ। ତେଣୁ ଦିନିକିଆ ଦଳରେ ତାଙ୍କର ଦାବିକୁ ଅଣଦେଖା କରିବା ଚୟନକର୍ତ୍ତାଙ୍କ ପାଇଁ ସହଜ ହେବ ନାହିଁ।
୨ - କୃଣାଲ ପାଣ୍ଡ୍ୟା
ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା ମଧ୍ୟ ଟି-୨୦ ଦଳକୁ ଫେରିବା ଦୌଡ଼ରେ ରହିଛନ୍ତି। ସେ ଭାରତ ପାଇଁ ଶେଷଥର ୨୦୨୧ ଜୁଲାଇ ୨୫ରେ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ। ଆଇପିଏଲ୍ ୨୦୨୬ରେ ଆରସିବି ପାଇଁ ଚମତ୍କାର ପ୍ରଦର୍ଶନ କରି ବ୍ୟାଟିଂରେ ୨୨୬ ରନ କରିବା ସହ ବୋଲିଂରେ ୧୪ଟି ୱିକେଟ୍ ହାତେଇ ଥିଲେ। ଏଭଳି ଦମଦାର ଅଲରାଉଣ୍ଡର ପ୍ରଦର୍ଶନ ବଳରେ ସେ ପୁଣିଥରେ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ଦୃଢ଼ ଦାବିଦାର ସାଜିଛନ୍ତି।
୩ - ରଜତ ପାଟିଦାର
ରଜତ ପାଟିଦାର ପୂର୍ବରୁ ଭାରତ ପାଇଁ ଟି-୨୦ ମ୍ୟାଚ୍ ଖେଳି ନ ଥିବାରୁ ତାଙ୍କ ପାଇଁ ଏହା ଟି-୨୦ ଦଳରେଡ୍ରେଡ଼ରେ ପ୍ରବେଶ କରିବାର ସୁଯୋଗ ହେବ। ସେ ଶେଷଥର ପାଇଁ ୨୦୨୪ ଫେବୃଆରୀ ୨୩ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟ୍ ଖେଳିଥିଲେ। ଆଇପିଏଲ୍ ୨୦୨୬ରେ ଆରସିବିର ଅଧିନାୟକ ଭାବେ ଖେଳି ସେ ୧୫ ମ୍ୟାଚରୁ ୧୯୨.୬୯ର ଜବରଦସ୍ତ ଷ୍ଟ୍ରାଇକ୍ ରେଟରେ ୫୦୧ ରନ୍ ସଂଗ୍ରହ କରିଥିଲେ। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ତାଙ୍କୁ ଟି-୨୦ ଦଳର ନିକଟତର କରିଛି।
ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ପରେ ଏହି ଖେଳାଳିମାନେ ମଧ୍ୟ ଭାରତୀୟ ଜର୍ସି ପିନ୍ଧିବା ପାଇଁ ଆଶାବାଦୀ ଅଛନ୍ତି, କିନ୍ତୁ ଚେୟାରମ୍ୟାନ୍ ଏବଂ ଚୟନକର୍ତ୍ତାଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।