ପୁରୀ: ମହାପ୍ରଭୁଙ୍କ ୨୦୨୭ ରଥଯାତ୍ରାକୁ ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣଠାରୁ ଆରମ୍ଭ କରି ଯାତାୟାତ, ପାର୍କିଂ, ସ୍ୱାସ୍ଥ୍ୟସେବା ଓ ସ୍ୱଚ୍ଛତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ରହିଛି ଫୋକସ୍। ଏଥିପାଇଁ ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ବିଭାଗଗୁଡ଼ିକୁ ତାଗିଦ୍ କରାଯାଇଛି।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଗାମୀ ରଥଯାତ୍ରାର ପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ରଥଯାତ୍ରା ପୂର୍ବରୁ ଭିତ୍ତିଭୂମି କାର୍ଯ୍ୟ ସମାପ୍ତ କରିବା ସହ ପୁରୀର ଦୀର୍ଘମିଆଦୀ ବିକାଶ ଉପରେ ଆଲୋଚନା ହୋଇଛି।
୭୬୫ ଖଣ୍ଡ ନୂଆ ରଥକାଠ ସଂଗ୍ରହ ହେବ
ଆସନ୍ତା ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ ରଥକାଠର ଆବଶ୍ୟକତା ରହିଛି। ପୂର୍ବ ବର୍ଷରୁ ୧୦୦ ଖଣ୍ଡ କାଠ ମହଜୁଦ ଥିବାରୁ ଅବଶିଷ୍ଟ ୭୬୫ ଖଣ୍ଡ କାଠ ସଂଗ୍ରହ କରାଯିବ। ଏହାବ୍ୟତୀତ ବୀରହରେକୃଷ୍ଣପୁରରୁ ବାଲିଘାଟକୁ ସଂଯୋଗ କରୁଥିବା ରାସ୍ତାର ମରାମତି ଓ ପୁନରୁଦ୍ଧାର କରାଯିବ।
ଟ୍ରାଫିକ୍ ସମସ୍ୟା ଏଡ଼ାଇବାକୁ ନୂଆ ଯୋଜନା
ରଥଯାତ୍ରାରେ ଯାନବାହନ ଚଳାଚଳକୁ ସୁଗମ କରିବା ପାଇଁ ନୂଆ ପାର୍କିଂ ସ୍ଥାନ ଚିହ୍ନଟ କରାଯିବ। ଏହା ସହ ବହୁତଳ ପାର୍କିଂ ବ୍ୟବସ୍ଥା ନେଇ ମଧ୍ୟ ଯୋଜନା ରହିଛି। ଅନ୍ୟପଟେ ଶ୍ରଦ୍ଧାଳୁଙ୍କୁ ଜରୁରୀକାଳୀନ ଚିକିତ୍ସାସେବା ଯୋଗାଇବା ଲାଗି ମାଳତୀପାଟପୁର ବସ୍ଷ୍ଟାଣ୍ଡରେ ସ୍ଥାୟୀ ଚିକିତ୍ସାଳୟ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦିଆଯାଇଛି।ସେହିପରି ପାନୀୟ ଜଳ, ପରିମଳ, ବିଦ୍ୟୁତ୍ ଯୋଗାଣ, ଟେଲିକମ୍ ନେଟୱର୍କ ଓ ସାର୍ବଜନୀନ ଘୋଷଣା ବ୍ୟବସ୍ଥାର ଉନ୍ନତୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି ବୈଠକ ସହ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଜୀବିକା ମିଶନର ପଞ୍ଚମ ପରିଚାଳନା କମିଟି ବୈଠକ ମଧ୍ୟ ହୋଇଛି। ଏଥିରେ ଗ୍ରାମୀଣ ପରିବାରର ଆୟ ବୃଦ୍ଧି, ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଓ ଜୀବିକା କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଆଲୋଚନା ହୋଇଛି। ରଥଯାତ୍ରା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରି ଭକ୍ତଙ୍କୁ ସୁରକ୍ଷିତ ଓ ସୁବିଧାଜନକ ଯାତ୍ରାର ଅନୁଭୂତି ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।