ଭୁବନେଶ୍ୱର: ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) କ୍ଷୀର ପ୍ୟାକେଟର୍ ପରିବର୍ତ୍ତନ କରିବାକୁ ଯାଉଛି । ଏଣିକି ନୂତନ ପ୍ୟାକେଜିଂର ଆସିବ କ୍ଷୀର । ଯେଉଁଥିରେ ଏକ ସ୍ୱତନ୍ତ୍ର ରହିବା ବାଧ୍ୟତାମୂଳକ । ପ୍ୟାକେଟର ସାଇଜ୍ ହିସାବରେ ଲୋଗୋର ଆକାର ମଧ୍ୟ ଭିନ୍ନ ଭିନ୍ନ ରହିବ ।
ନଭେମ୍ବର ୬ ତାରିଖରେ FSSAI ଦ୍ୱାରା ଏ ନେଇ ବିଜ୍ଞପ୍ତି ଜାରି କରିଛି । ନଭେମ୍ବର ୯ ତାରିଖରେ ଭାରତ ରାଜପତ୍ରରେ ପ୍ରକାଶିତ ତଥ୍ୟ ଅନୁସାରେ ଏହି ନୂତନ ନିୟମ ୧ ଜୁଲାଇ, ୨୦୨୮ରେ ସମସ୍ତ ଦୁଗ୍ଧ କମ୍ପାନୀ ପାଇଁ ଲାଗୁ କରାଯିବ । ଏ ନେଇ ୨୦୨୫ରେ ମଧ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୬୦ ଦିନ ଦିନ ମଧ୍ୟରେ ନିଜର ଆପତ୍ତି ଅଭିଯୋଗ ଜଣାଇବାକୁ ସମୟ ଦିଆଯାଇଥିଲା । ସମସ୍ତ ପରାମର୍ଶ ଓ ଅଭିଯୋଗକୁ ଭିତ୍ତି କରି FSSAI ନୂତନ ସଂଶୋଧିତ ବିଜ୍ଞପ୍ତି ଜାରି କରିଛି ।
ନୂତନ ନିୟମ ଆଧାରରେ କ୍ଷୀର ପ୍ୟାକେଟ୍ ଉପରେ ଉତ୍ପାଦର ସମ୍ପୂର୍ଣ୍ଣ ବିବରଣୀ ରହିଛି । ଏହା ସହିତ ଏକ ସ୍ୱତନ୍ତ୍ର ଲୋଗୋ ମଧ୍ୟ ରହିବ । ନୂତନ ଲୋଗୋର ଡିଜାଇନ୍ ମଧ୍ୟ ସ୍ଥିର ହୋଇସାରିଛି, ଯେଉଁଥିରେ ନୀଳ ରଙ୍ଗର ଏକ ବର୍ଗାକାର ଚିତ୍ର ରହିବ ଓ ସେଥିରେ ଧଳା ରଙ୍ଗର କ୍ଷୀର ବୁନ୍ଦା ରହିବ । ଦୁଗ୍ଧ ଉତ୍ପାଦ କମ୍ପାନୀମାନେ ଏହି ନିର୍ଦ୍ଦିଷ୍ଟ ଲୋଗୋକୁ ନିଜର ପ୍ୟାକେଟରେ ରଖିବେ । ସେହିପରି ପ୍ରତି ପ୍ୟାକେଟର ଆକାର ଅନୁଯାୟୀ ପାଇଁ ଭିନ୍ନ ଭିନ୍ନ ଆକାର ଲୋଗୋ ରହିବ । ଯେପରିକି ୧୦୦ ବର୍ଗ ସେମି ପ୍ୟାକେଟ୍ ପାଇଁ ୬ ମିମି, ୧୦୦ରୁ ୫୦୦ ବର୍ଗ ସେମି ପାଇଁ ୮ ମିମି, ୫୦୦ରୁ ୨୫୦୦ ବର୍ଗ ସେମି ପାଇଁ ୧୨ ମିମି ଏବଂ ୨୫୦୦ ବର୍ଗ ସେମି ଅଧିକ ଆକାର ପ୍ୟାକେଟ୍ ପାଇଁ ୧୬ ମିମି ଆକାରର ଲୋଗୋ ରହିବ । କମ୍ପାନୀମାନେ ଧାର୍ଯ୍ୟ ଆକାର ଲୋଗୋ ଠାରୁ ବଡ଼ ଆକାର ଲୋଗୋ ବ୍ୟବହାର କରିପାରିବେ କିନ୍ତୁ ତା ଠାରୁ ଛୋଟ ଆକାରର ଲୋଗୋ ବ୍ୟବହାର କରିପାରିବେ ନାହିଁ ବୋଲି FSSAIର ନିର୍ଦ୍ଦେଶ ରହିଛି ।