ନୂଆଦିଲ୍ଲୀ: ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଏନଭିଡିଆରେ ଦେଖାଦେଇଛି ବଡ଼ ନେତୃତ୍ୱ ପରିବର୍ତ୍ତନ। କମ୍ପାନୀର ସହ-ପ୍ରତିଷ୍ଠାତା ତଥା ଦୀର୍ଘଦିନର CEO ଜେନସେନ୍ ହୁଆଙ୍ଗ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ତତ୍କାଳ କାର୍ଯ୍ୟକାରୀ ହୋଇଥିବା ନେଇ ନଭେମ୍ବର ୧୨ରେ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ତାଙ୍କ ସ୍ଥାନରେ କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ (CFO) କୋଲେଟ୍ କ୍ରେସ୍ଙ୍କୁ ଅନ୍ତରୀଣ CEO ଭାବେ ଦାୟିତ୍ୱ ଦିଆଯାଇଛି।
ବ୍ୟକ୍ତିଗତ ସମ୍ପର୍କକୁ ନେଇ ବଢ଼ିଥିଲା ବିବାଦ
ଜେନସେନ୍ ହୁଆଙ୍ଗଙ୍କ ଇସ୍ତଫା ପଛରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସାମ୍ନାକୁ ଆସିଥିବା ଏକାଧିକ ଖବର ଚର୍ଚ୍ଚାର କାରଣ ପାଲଟିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜଣେ ଚୀନ୍ର ମହିଳା ବ୍ୟବସାୟଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ମହିଳାଙ୍କର ଚୀନ୍ ଗୁପ୍ତଚର ସଂସ୍ଥା ସହ ସମ୍ପର୍କ ଥିବା ନେଇ ଆମେରିକୀୟ ଗୁଇନ୍ଦା ଅଧିକାରୀଙ୍କ ସନ୍ଦେହ ଥିବା ମଧ୍ୟ ବିଭିନ୍ନ ରିପୋର୍ଟରେ ଦାବି କରାଯାଇଛି।
ଏହାବ୍ୟତୀତ ଏନଭିଡିଆର ଜଣେ ବରିଷ୍ଠ ମହିଳା କର୍ମଚାରୀଙ୍କ ସହ ମଧ୍ୟ ହୁଆଙ୍ଗଙ୍କ ସମ୍ପର୍କ ଥିବା ନେଇ ଆଉ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଘଟଣାଗୁଡ଼ିକ ସାମ୍ନାକୁ ଆସିବା ପରେ କମ୍ପାନୀର ପରିଚାଳନା, ନେତୃତ୍ୱ ଓ କର୍ପୋରେଟ୍ ନୀତିକୁ ନେଇ ପ୍ରଶ୍ନ ଉଠିଥିଲା।
ଏହି ଅଭିଯୋଗଗୁଡ଼ିକର ପୃଷ୍ଠଭୂମିରେ ଏନଭିଡିଆ ବୋର୍ଡ ପକ୍ଷରୁ ଏକ ସ୍ୱତନ୍ତ୍ର ତଦନ୍ତ ଆରମ୍ଭ କରାଯାଇଥିବା ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ, ଚୀନ୍ ସରକାର ଗୁପ୍ତଚର ସମ୍ପର୍କିତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ହୁଆଙ୍ଗ ମଧ୍ୟ ଉକ୍ତ ମହିଳାଙ୍କର କୌଣସି ଗୁପ୍ତଚର ପରିଚୟ ସମ୍ପର୍କରେ ତାଙ୍କୁ ଜଣାଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
କୋଲେଟ୍ କ୍ରେସ୍ଙ୍କ ହାତରେ ଏବେ ଦାୟିତ୍ୱ
ହୁଆଙ୍ଗଙ୍କ ଇସ୍ତଫା ପରେ କମ୍ପାନୀର ନୂଆ ଅନ୍ତରୀଣ CEO ଭାବେ କୋଲେଟ୍ କ୍ରେସ୍ଙ୍କୁ ଚୟନ କରାଯାଇଛି। ସେ ୨୦୧୩ ମସିହାରୁ ଏନଭିଡିଆର ଏକଜିକ୍ୟୁଟିଭ୍ ଭାଇସ୍ ପ୍ରେସିଡେଣ୍ଟ ଓ CFO ଭାବେ କାର୍ଯ୍ୟ କରୁଛନ୍ତି।
ନୂଆ ସ୍ଥାୟୀ CEO ନିଯୁକ୍ତ ହେବା ପର୍ଯ୍ୟନ୍ତ ସେ ଏହି ଅନ୍ତରୀଣ ଦାୟିତ୍ୱ ତୁଲାଇବେ। ଏଥିସହ ତାଙ୍କର ପୂର୍ବ ଆର୍ଥିକ ଦାୟିତ୍ୱ ମଧ୍ୟ ଜାରି ରହିବ। କମ୍ପାନୀର ବୋର୍ଡ ନୂଆ CEO ଚୟନ ପାଇଁ ଆଭ୍ୟନ୍ତରୀଣ ଓ ବାହ୍ୟ ପ୍ରାର୍ଥୀଙ୍କ ନାମ ବିଚାର କରିବ ବୋଲି ଜଣାପଡ଼ିଛି।