ନୂଆଦିଲ୍ଲୀ: ଆଜି ତିନୋଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ପାଞ୍ଚଟି ବିଧାନସଭା ଆସନ ଓ ଗୋଟିଏ ଲୋକସଭା ଆସନର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ତାମିଲନାଡୁର ମଦୁରନ୍ଥକମ୍ ଓ ଧାରାପୁରମ୍, ପୁଡୁଚେରୀର ଥାଟ୍ଟାଞ୍ଚାଭାଡି, ପଶ୍ଚିମବଙ୍ଗର ରେଜିନଗର ଏବଂ ନନ୍ଦିଗ୍ରାମ ବିଧାନସଭା ଆସନର ମତ ଗଣନା ଆରମ୍ଭ ହୋଇଛି । ସେହିପରି ଆସାମର ନାଗାଓଁ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନର ଫଳାଫଳ ମଧ୍ୟ ପ୍ରକାଶ ପାଇବ ।
ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନ ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଶୁଭେନ୍ଦୁ ଅଧିକାର ମୁଖ୍ୟମନ୍ତ୍ରୀ ହେବା ପରେ ବିଜେପି ପ୍ରଥମ ଥର ପାଇଁ ନିର୍ବାଚନର ସାମ୍ନା କରୁଛି । ଖବର ଲେଖାଯିବା ବେଳେକୁ ଉଭୟ ଆସନରେ ବିଜେପି ପ୍ରାର୍ଥୀମାନେ ଆଗରେ ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ଗଣତି ଅନୁଯାୟୀ ଉଭୟ ଆସନରେ ବିଜେପି ଆଗରେ ଅଛନ୍ତି।
ସେହିପରି ଆସାମର ନାଗାଓଁ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପିର ଦେବବ୍ରତ ସୈକିଆ ଆଗରେ ରହିଛନ୍ତି । ଦେବବ୍ରତ ୨୬,୨୯୫ ଭୋଟ୍ରେ ଆଗୁଆ ରହିଛନ୍ତି। ସେହିପରି ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ପ୍ରାର୍ଥୀ ମହମ୍ମଦ ବଦରୁଦ୍ଦିନ୍ ଅଜମଲ୍ ୨୧,୧୦୭ ଭୋଟ୍ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଂଗ୍ରେସର ଶିବାମଣି ବୋରା ମାତ୍ର ୬,୫୪୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ଭୋଟ୍ ଗଣତି ଜାରି ରହିଥିବାରୁ ଫଳାଫଳ ଆକଳନ କରିବା ଅନୁଚିତ ହେବ ।
ପୁଡୁଚେରୀର ଥାଟ୍ଟାଞ୍ଚାଭାଡି ଉପ-ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗଣତି ପରେ, AINRC ପ୍ରାର୍ଥୀ ଅଶୋକ ଆନନ୍ଦ ୩,୨୭୩ ଭୋଟ୍ ସହ ଆଗରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ଇ. ବିନାୟଗମ୍ ୧,୨୨୨ ଭୋଟ୍ ଏବଂ ଡିଏମକେର ସେଥୁ ସେଲଭମ୍ ୭୮୬ ଭୋଟ୍ ପାଇଛନ୍ତି।
ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ 'ଟିଭିକେ' ମଧ୍ୟ ବିଧାନସଭା ନିର୍ବାଚନ ପରେ ଦ୍ୱିତୀୟ ଥର ପାଇଁ ମଇଦାନରେ ରହିଛି । ତାମିଲନାଡୁର ଧାରାପୁରମ୍ ଏବଂ ମଦୁରାନଥକମ୍ ନିର୍ବାଚନ ମଣ୍ଡଳୀରେ ଟିଭିକେ ଏବଂ ଏଆଇଏଡିଏମକେ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଉଭୟ ଆସନରେ ଟିଭିକେ ପ୍ରାର୍ଥୀମାନେ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ଅଗ୍ରଣୀ ରହିଛନ୍ତି। ଧାରାପୁରମ୍ ନିର୍ବାଚନ ମଣ୍ଡଳୀରେ ଏଆଇଏଡିମକେ ପ୍ରାର୍ଥୀ କେ. ଭାନୁମତୀ ବର୍ତ୍ତମାନ ମାତ୍ର ପାଞ୍ଚଟି ଭୋଟ୍ ବ୍ୟବଧାନରେ ଆଗରେ ଥିବାବେଳେ ଟିଭିକେର ପି. ସତ୍ୟଭାମା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଖବର ଲେଖା ଯିବାକୁ ବେଳକୁ ଭାନୁମତୀ ସୁଦ୍ଧା ୨,୬୩୯ଟି ଭୋଟ୍ ପାଇଥିବାବେଳେ ସତ୍ୟଭାମା ୨,୬୩୪ଟି ଭୋଟ୍ ପାଇଛନ୍ତି।