ରାୟପୁର: ଛତିଶଗଡ଼ର ସୁକମା ଜିଲ୍ଲାରେ ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀ ନଷ୍ଟ କରିବା ବେଳେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସର ଚାରିଜଣ ଯବାନ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍ଗୀନ ରହିଛି । ଗୁରୁତର ଯବାନଙ୍କୁ ଏଏସ୍ଆଇ ଏମ୍.କେ. ତିୱାରୀ, ଇନ୍ସପେକ୍ଟର ଅମରନାଥ ମିଶ୍ର, ୫୦ତମ ବାଟାଲିୟନର ଏଏସ୍ଆଇ ଅନିସ୍ ଖାନ୍ ଏବଂ ହେଡ୍ କନଷ୍ଟେବଳ କୁଲଦୀପ ରାଜ ଭାବେ ଚିହ୍ନଟ କରାଯାଇଛି।
ପୋଲିସ୍ ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଭେଜି ଥାନା ଅଞ୍ଚଳ ଅନ୍ତର୍ଗତ ଏଲାରମାଡଗୁ ସୁରକ୍ଷା କ୍ୟାମ୍ପରେ ବିସ୍ଫୋରକ ସାମଗ୍ରୀକୁ ନଷ୍ଟ କରାଯାଉଥିଲା । ୫୦ତମ ବାଟାଲିୟନର 'ଆମୁନିସନ୍ ଟେକ୍ନିକାଲ୍ ଟିମ୍' ଜଗଦଲପୁରରୁ କୋଣ୍ଟା ରେଞ୍ଜ ଅନ୍ତର୍ଗତ ଏଲାରମାଡଗୁ କ୍ୟାମ୍ପରେ ପହଞ୍ଚି ଏହି ପ୍ରକ୍ରିୟା କରିଥିଲା । ସୁରକ୍ଷା କ୍ୟାମ୍ପଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ବୋଦରାଜପାଦର ନାଳ ନିକଟରେ ନିର୍ଦ୍ଧାରିତ ସୁରକ୍ଷା ନିୟମାବଳୀ ଅନୁସରଣ କରି ବିସ୍ଫୋରକ ନଷ୍ଟ କରାଯାଉଥିବା ସମୟରେ, ହଠାତ୍ ଏକ ବିସ୍ଫୋରକର ଅଂଶ ଛିଟିକି ପଡ଼ି ନିକଟରେ ପଡ଼ିଥିଲା ଏବଂ ବିସ୍ଫୋରଣ ସୃଷ୍ଟି ହୋଇଥିଲା ।
ଏହି ପ୍ରକ୍ରିୟାରେ ସାମିଲ ଥିବା ଚାରିଜଣ ଯବାନ ଆହତ ହୋଇଥିଲେ । ବିସ୍ଫୋରଣ ପରେ ତୁରନ୍ତ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା ଏବଂ କୋଣ୍ଟା ସ୍ଥିତ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଛି। ଅଧିକ ଉନ୍ନତ ଚିକିତ୍ସା ପାଇଁ ଗୁରୁତର ଆହତ କର୍ମଚାରୀମାନଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି।