ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଏକ ବଡ଼ ଆର୍ଥିକ ହେରଫେର ହୋଇଛି । ଗ୍ରେଟର୍ ନୋଏଡ଼ାର ବେଟା-୨ ଥାନା ଅନ୍ତର୍ଗତ ଆଇଚାର ଗ୍ରାମରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା ବିରୋଧରେ ଅଭିଯୋଗ ହୋଇଛି । ଗୁରୁବାର ସୁଦ୍ଧା ପ୍ରାୟ ୩୦ ଜଣ ଖାତାଧାରୀ ସେମାନଙ୍କ ଅନୁମତି ବିନା ସେମାନଙ୍କର ଫିକ୍ସଡ୍ ଡିପୋଜିଟ୍ ଭାଙ୍ଗି ଦିଆଯାଇଛି ଏବଂ ସଞ୍ଚିତ ରାଶିରେ ଜାଲିଆତି କରାଯାଇଥିବା ଅଭିଯୋଗ କରିଛନ୍ତି ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ୩୦ ଜଣ ଖାତାଧାରୀଙ୍କର ପ୍ରାୟ ୩୫ କୋଟି ଟଙ୍କା ହଡ଼ପ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ, ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟ ଶାଖା ପରିଚାଳକଙ୍କ ସମେତ ପାଞ୍ଚ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି ଏବଂ ସେହି ଶାଖାରେ ନୂତନ କର୍ମଚାରୀଙ୍କୁ ନିଯୁକ୍ତ କରିଛି । ବ୍ୟାଙ୍କର ଦୁର୍ନୀତି ନିବାରଣ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି।
ଭାରତୀୟ କୃଷକ ସଂଘ ଅଭିଯୋଗ କରିଛି ଯେ ଆତ୍ମସାତ କରାଯାଇଥିବା ରାଶି ୧୩୦ କୋଟିରୁ ୧୫୦ କୋଟି ଟଙ୍କା ମଧ୍ୟରେ ହେବ । ସଂଘ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ତେବେ, ଏହି ମୋଟ ରାଶି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ ।
ବର୍ତ୍ତମାନ ପୋଲିସ ପାଣ୍ଠି ଆତ୍ମସାତ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ଘଟଣାରେ ୧୮ ଜଣ ଖାତାଧାରୀଙ୍କ ଫିକ୍ସଡ୍ ଡିପୋଜିଟ୍ (FD) କୁ ସମୟସୀମା ପୂର୍ବରୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ରହିଛି।