ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତିଙ୍କୁ ଅସମ୍ମାନୀତ କରିଥିବା ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଉତ ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି । ସୁପ୍ରିମକୋର୍ଟରୁ ଅବମାନନା ନୋଟିସ୍ ପାଇବା ପରେ ସଞ୍ଜୟ କ୍ଷମା ମାଗିଛନ୍ତି । ସେ ବିନା ସର୍ତ୍ତରେ ନିଜ ଇଚ୍ଛାରେ କ୍ଷମା ମାଗିଥିବା କହିଛନ୍ତି ।
ସଞ୍ଜୟ ରାଉତ ଅଦାଲତଙ୍କ ଗୌରବ ଏବଂ ଅଧିକାରର ସମ୍ମାନକୁ ସମ୍ମାନ ଜଣାଇ କହିଛନ୍ତି ଯେ ସେ ସୁପ୍ରିମକୋର୍ଟଙ୍କ ସ୍ୱାଧୀନତା ଏବଂ ପ୍ରତିଷ୍ଠା ବଜାୟ ରଖିବା ଆଭିମୁଖ୍ୟର ମହତ୍ତ୍ୱକୁ ହୃଦୟଙ୍ଗମ କରିଛନ୍ତି । ଅଦାଲତଙ୍କ ଗୌରବ, ସ୍ୱତନ୍ତ୍ରତା ଏବଂ ଅଧିକାର କ୍ଷୁର୍ଣ୍ଣ କରିବାରେ ତାଙ୍କର କୌଣସି ଆଭିମୁଖ୍ୟ ନଥିବା ସେ କହିଛନ୍ତି ।
ତେବେ ସଞ୍ଜୟ ରାଉତଙ୍କ କ୍ଷମା ପ୍ରାର୍ଥନା ପରେ ମଧ୍ୟ ସୁପ୍ରିମକୋର୍ଟରେ ଏହି ମାମଲାର ଅନ୍ତ ହୋଇ ନାହିଁ । ବୁଧବାର ହୋଇଥିବା ଶୁଣାଣିରେ ସଞ୍ଜୟଙ୍କ ତରଫରୁ କୌଣସି ଓକିଲ ଉପସ୍ଥିତ ନ ଥିଲେ । ସେଥିପାଇଁ ସଞ୍ଜୟଙ୍କୁ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି । ଆସନ୍ତା ମାସ ୧୭ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ତାଙ୍କ କ୍ଷମା ପ୍ରାର୍ଥନା ଉପରେ ବିଚାର କରିବେ ।
ସମ୍ପୂର୍ଣ୍ଣ ମାମଲା
ସଞ୍ଜୟ ରାଉତ ଆଲବେନିୟାରେ ହୋଇଥିବା ଏକ ହିଂସାର ଭିଡ଼ିଓ ସେୟାର କରି ଲେଖିଥିଲେ ଯେ ସେଠାକାର ଜନତା ଦୁର୍ନୀତିଗ୍ରସ୍ତ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ସୁପ୍ରିମକୋର୍ଟରେ ନିଆଁ ଲଗାଇବା ସହିତ ସରକାରୀ କୋଠା ଗୁଡ଼ିକ ଉପରେ ଆକ୍ରମଣ କରିଛନ୍ତି । ତେଣୁ ଭାରତ ସହିତ ଅନ୍ୟାନ୍ୟ ଦେଶ ଏଠାରୁ ଶିକ୍ଷା ପାଇବା ଉଚିତ । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ବିରୋଧରେ କରିଥିବା ଟିପ୍ପଣୀ କରିବା ଅଭିଯୋଗରେ ସୁପ୍ରିମକୋର୍ଟ ତାଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଥିଲେ ।