ମୁମ୍ବାଇ: IPL ୨୦୨୭ ପୂର୍ବରୁ କ୍ରିକେଟ୍ ଜଗତରେ ବଡ଼ ହଲଚଲ୍। ଶେଷ ହେଲା ସବୁ ଚର୍ଚ୍ଚା ଓ କଳ୍ପନାଜଳ୍ପନା। ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହୋଇଛି ଏକ ବଡ଼ ଖେଳାଳି ଅଦଳବଦଳ। ମୁମ୍ବାଇର ପୂର୍ବତନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଥିବା ବେଳେ ପଞ୍ଜାବର ଷ୍ଟାର୍ ବୋଲର ଅର୍ଶଦୀପ ସିଂ ଯୋଗ ଦେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସରେ। ଉଭୟ ଖେଳାଳିଙ୍କ ଟ୍ରେଡ୍ ନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଅଫିସିଆଲ ଘୋଷଣା କରାଯାଇଛି।
୧୮ କୋଟିରେ ହାର୍ଦ୍ଦିକଙ୍କୁ କିଣିଲା ପଞ୍ଜାବ
ଏହି ବଡ଼ ଟ୍ରେଡ୍ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୮ କୋଟି ଟଙ୍କାର ମୂଲ୍ୟରେ ପଞ୍ଜାବ କିଙ୍ଗ୍ସ ନିଜ ଦଳରେ ସାମିଲ କରିଛି। ଅନ୍ୟପଟେ ଅର୍ଶଦୀପ ସିଂ ମଧ୍ୟ ୧୮ କୋଟି ଟଙ୍କାରେ ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ହୋଇଛନ୍ତି। ଏହି ଟ୍ରେଡ୍ ସହିତ ଉଭୟ ଦଳ IPL ୨୦୨୭ ପାଇଁ ନିଜ ନିଜ ଦଳର ରଣନୀତିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି।
୧୧ ବର୍ଷର ମୁମ୍ବାଇ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ
୨୦୧୫ରେ ଜଣେ ଯୁବ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସେ ଖୁବ୍ କମ୍ ସମୟ ମଧ୍ୟରେ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଥିଲେ। ମୁମ୍ବାଇ ପାଇଁ ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ର IPL ଟାଇଟଲ୍ ବିଜୟୀ ଅଭିଯାନରେ ସେ ସାମିଲ ଥିଲେ।
ଏହାପରେ ୨୦୨୨ରେ ଗୁଜରାଟ ଟାଇଟନ୍ସରେ ଯୋଗ ଦେଇଥିଲେ ହାର୍ଦ୍ଦିକ। ତାଙ୍କ ନେତୃତ୍ୱରେ ଗୁଜରାଟ ପ୍ରଥମ ସିଜିନ୍ରେ ହିଁ ଚାମ୍ପିଅନ୍ ହୋଇଥିଲା। ୨୦୨୩ରେ ମଧ୍ୟ ଦଳ ଫାଇନାଲ୍ ଖେଳିଥିଲା। ଏହାପରେ ୨୦୨୪ରେ ପୁଣି ମୁମ୍ବାଇକୁ ଫେରି ରୋହିତ ଶର୍ମାଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ୱ ନେଇଥିଲେ।
ଅର୍ଶଦୀପଙ୍କ ହାତରେ ମୁମ୍ବାଇର ବୋଲିଂ ଭାର
ଅନ୍ୟପଟେ ପଞ୍ଜାବ କିଙ୍ଗ୍ସର ଅନ୍ୟତମ ଭରସାଯୋଗ୍ୟ ବୋଲର ଅର୍ଶଦୀପ ସିଂ ଏବେ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସିରେ ନଜର ଆସିବେ। ୨୦୧୯ରେ ପଞ୍ଜାବ ପାଇଁ IPL ଡେବ୍ୟୁ କରିଥିବା ଏହି ବାମହାତୀ ଦ୍ରୁତ ବୋଲର ଡେଥ୍ ଓଭରରେ ନିଜର ଚମତ୍କାର ବୋଲିଂ ପାଇଁ ବେଶ୍ ପରିଚିତ।
ପଞ୍ଜାବ ପାଇଁ ୯୬ଟି ମ୍ୟାଚ୍ ଖେଳି ୧୧୧ଟି ୱିକେଟ୍ ନେଇଛନ୍ତି ଅର୍ଶଦୀପ। ଏହା ସହିତ ସେ ପଞ୍ଜାବ କିଙ୍ଗ୍ସ ଇତିହାସର ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ହୋଇଛନ୍ତି। ତାଙ୍କ ଆଗମନ ମୁମ୍ବାଇର ବୋଲିଂ ବିଭାଗକୁ ନୂଆ ଶକ୍ତି ଦେବ ବୋଲି ଫ୍ରାଞ୍ଚାଇଜ୍ ଆଶା ରଖିଛି।
ହାର୍ଦ୍ଦିକଙ୍କୁ ନେଇ କ'ଣ କହିଲେ ଆକାଶ ଅମ୍ବାନୀ?
ହାର୍ଦ୍ଦିକଙ୍କ ବିଦାୟକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ ଆକାଶ ଅମ୍ବାନୀ କହିଛନ୍ତି ଯେ, ହାର୍ଦ୍ଦିକ ମୁମ୍ବାଇ ସହ ଅନେକ ସ୍ମରଣୀୟ ମୁହୂର୍ତ୍ତ ବାଣ୍ଟିଛନ୍ତି। ଜଣେ ଯୁବ କ୍ରିକେଟରରୁ ବିଶ୍ୱସ୍ତରୀୟ ଅଲରାଉଣ୍ଡର ଏବଂ ପରେ ଦଳର ନେତୃତ୍ୱ ନେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରାକୁ ମୁମ୍ବାଇ ଦେଖିଛି। ତାଙ୍କ ଅବଦାନ ଓ ପ୍ରତିଯୋଗିତାମୂଳକ ମନୋଭାବକୁ ଆମେ ସମ୍ମାନ କରୁଛୁ ବୋଲି ସେ କହିଛନ୍ତି। ସେହିପରି ଅର୍ଶଦୀପଙ୍କୁ ସ୍ୱାଗତ କରି ଆକାଶ ଅମ୍ବାନୀ କହିଛନ୍ତି, ତାଙ୍କ ଆଗମନ ଦଳର ବୋଲିଂ ଆକ୍ରମଣକୁ ନୂଆ ଶକ୍ତି ଓ ସନ୍ତୁଳନ ଦେବ।
ଏବେ କିଏ ହେବେ ମୁମ୍ବାଇର ନୂଆ ଅଧିନାୟକ?
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଦାୟ ପରେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଫ୍ରାଞ୍ଚାଇଜ୍ କହିଛି ଯେ ଅଧିନାୟକ ପଦ ପାଇଁ ସମସ୍ତ ବିକଳ୍ପକୁ ବିଚାର କରାଯିବ ଏବଂ ଉପଯୁକ୍ତ ସମୟରେ ଘୋଷଣା କରାଯିବ। ଅନ୍ୟପଟେ ପଞ୍ଜାବ କିଙ୍ଗ୍ସରେ ଶ୍ରେୟସ ଆୟରଙ୍କ ସହ ହାର୍ଦ୍ଦିକଙ୍କ ଯୋଡ଼ି କିଭଳି ପ୍ରଦର୍ଶନ କରିବ, ତାହା ମଧ୍ୟ ଦେଖିବାକୁ ରହିଲା।IPL ୨୦୨୭ରେ ଏହି ଦୁଇ ଷ୍ଟାର୍ ଖେଳାଳିଙ୍କ ନୂଆ ଦଳ ପାଇଁ ପ୍ରଦର୍ଶନ ଉପରେ ରହିବ ସମସ୍ତଙ୍କ ନଜର।