ନୂଆଦିଲ୍ଲୀ: ଦୀପାବଳି ପରେ ଦେଶରେ ବାୟୁ ପ୍ରଦୂଷଣ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇପଡ଼ିଛି। ବିଶ୍ୱର ୫୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୪୯ଟି ଭାରତରେ ଥିବା ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି। ଏହି ତାଲିକାରେ ୮୨୧ AQI ସହ ରାଜସ୍ଥାନର ଶ୍ରୀଗଙ୍ଗାନଗର ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି।
ଶ୍ରୀଗଙ୍ଗାନଗରରେ AQI ୮୨୧, ଲାହୋର ୧୪ତମ ସ୍ଥାନରେ
AQI.in ତଥ୍ୟ ଅନୁଯାୟୀ, ମଙ୍ଗଳବାର ସକାଳ ୯ଟା ୫୪ ମିନିଟରେ ଶ୍ରୀଗଙ୍ଗାନଗରର ବାୟୁ ଗୁଣବତ୍ତା ସୂଚକାଙ୍କ ୮୨୧ ରେକର୍ଡ ହୋଇଥିଲା। ବିଶ୍ୱର ୫୦ଟି ପ୍ରଦୂଷିତ ସହର ମଧ୍ୟରେ ଭାରତର ୪୯ଟି ସହର ରହିଥିବା ବେଳେ ଭାରତ ବାହାରର ଏକମାତ୍ର ସହର ଭାବେ ପାକିସ୍ତାନର ଲାହୋର ୧୪ତମ ସ୍ଥାନରେ ରହିଛି। ଏଠାରେ AQI ୪୩୦ ରେକର୍ଡ କରାଯାଇଛି।
ଦିଲ୍ଲୀରୁ ଭୋପାଳ ଯାଏଁ ପ୍ରଦୂଷଣର କଳା ବାଦଲ
ଦିଲ୍ଲୀର ଚାନ୍ଦିନୀ ଚୌକରେ ମଙ୍ଗଳବାର ସକାଳ ୬ଟାରେ AQI ୪୦୦ ଅତିକ୍ରମ କରିଥିଲା। ରାଜଧାନୀର ଅନ୍ୟ ଅଞ୍ଚଳରେ ମଧ୍ୟ AQI ୩୦୦ ଉପରେ ରହିଛି। ମଧ୍ୟପ୍ରଦେଶର ଭୋପାଳ, ଉଜ୍ଜୟିନୀ ଏବଂ ହରିୟାଣାର ବହାଦୁରଗଡ଼ରେ ମଧ୍ୟ ପ୍ରଦୂଷଣ ସ୍ତର ୪୦୦ ଟପିଛି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶର ନୋଏଡାରେ AQI ୩୩୨ ଏବଂ ଗାଜିଆବାଦରେ ୩୨୪ ରେକର୍ଡ ହୋଇଛି।
ଥଣ୍ଡା ବଢ଼ୁଛି, ପ୍ରଦୂଷଣ ନେଇ ଚିନ୍ତା
ମଧ୍ୟପ୍ରଦେଶରେ ରାତିର ତାପମାତ୍ରା ୧୧ ଡିଗ୍ରୀ ଏବଂ ଉତ୍ତରପ୍ରଦେଶରେ ୧୫ ଡିଗ୍ରୀ ସେଲସିୟସକୁ ଖସିଛି। ତେବେ ତାମିଲନାଡ଼ୁର କିଛି ଅଞ୍ଚଳରେ ଲଗାତାର ବର୍ଷା ଜାରି ରହିଛି। ଉତ୍ତରାଖଣ୍ଡର ଉତ୍ତରକାଶୀ, ରୁଦ୍ରପ୍ରୟାଗ, ଚମୋଲି, ବାଗେଶ୍ୱର ଓ ପିଥୋରାଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ସମ୍ଭାବନା ରହିଛି।
ପ୍ରଦୂଷଣ ରୋକିବାକୁ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ
ଦିଲ୍ଲୀ-NCRରେ ଯାନବାହନ ଜନିତ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ପୁରୁଣା ଗାଡ଼ି ଏବଂ ପ୍ରଦୂଷଣ ନିୟମ ଉଲ୍ଲଂଘନ କରୁଥିବା ଯାନବାହନ ବିରୋଧରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହରିୟାଣା ସରକାରଙ୍କ ସହ ଦିଲ୍ଲୀ ନଗର ନିଗମ ଏବଂ ପୋଲିସକୁ ତଥ୍ୟ ଦେବାକୁ କହିଛନ୍ତି କୋର୍ଟ।
ସ୍ୱାସ୍ଥ୍ୟ ପାଇଁ ବିପଦ ସଙ୍କେତ: AQI ୪୦୧ରୁ ୫୦୦ ମଧ୍ୟରେ ରହିଲେ ତାହାକୁ ଗମ୍ଭୀର ପ୍ରଦୂଷଣ ବୋଲି ଧରାଯାଏ। ଏଭଳି ପ୍ରଦୂଷିତ ବାୟୁ କେବଳ ରୋଗୀ ନୁହେଁ, ସୁସ୍ଥ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରିପାରେ।