ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଛି । ବୁଧବାର ସକାଳେ ପ୍ରାତଃ ଭ୍ରମଣ ସମୟରେ ସେ ଚେତା ଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ୭୫ ବର୍ଷୀୟ ଧନଖଡ଼ ଆଜି ସକାଳେ ନିୟମିତ ଭଳି ପ୍ରାତଃ ଭ୍ରମଣ କରୁଥିଲେ । ଏହି ସମୟରେ ସେ ହଠାତ୍ ଚେତାଶୂନ୍ୟ ହୋଇପଡ଼ିଥିଲେ । ତାଙ୍କ ସହିତ ଥିବା ସୁରକ୍ଷାକର୍ମୀ ତୁରନ୍ତ ପିସିଆର ଭ୍ୟାନରେ ତାଙ୍କୁ ଘରେ ପହଞ୍ଚାଇଥିଲେ। ପରେ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ ବିଲିୟରୀ ସାଇନ୍ସେସ(ILBS) ଡାକ୍ତରୀ ଟିମ୍ ଏବଂ ଏମ୍ସର ଡାକ୍ତର ସନ୍ଦୀପ ସେଠ ତାଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସରେ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ।
ଏମ୍ସର କାର୍ଡିଓ-ନ୍ୟୁରୋ ବିଭାଗରେ ଭର୍ତ୍ତି କରାଯାଇଛି । ତେବେ ଏମ୍ସର କର୍ତ୍ତୃପକ୍ଷ ଧନଖଡ଼ ସ୍ୱାସ୍ଥ୍ୟ ବିଷୟରେ କୌଣସି ବିବୃତ୍ତି ଜାରି କରିନାହାଁନ୍ତି ।
ଏହା ପୂର୍ବରୁ ମଧ୍ୟ ଧନଖଡ଼ଙ୍କର ଏମିତି ସ୍ୱାସ୍ଥ୍ୟ ସମସ୍ୟା ହୋଇଥିଲା । ମାର୍ଚ୍ଚ, ୨୦୨୫ରେ ଏମ୍ସର ସିସିୟୁରେ ଭର୍ତ୍ତି କରାଯାଇଥିଲା । ସେହିପରି ନୈନିତାଲ କୁମାଓନ୍ ବିଶ୍ୱବିଦ୍ୟାଳୟର ସ୍ୱର୍ଣ୍ଣ ଜୟନ୍ତୀରେ ଯୋଗ ଦେବା ଅବସରରେ ଅଚେତ ହୋଇପଡ଼ିଥିଲେ । ଖାଲି ସେତିକି ନୁହେଁ ତାଙ୍କ ବାସଭବନରେ ମଧ୍ୟ ୨ ଥର ଚେତାଶୂନ୍ୟ ହୋଇପଡ଼ିଥିଲେ ।