ଶ୍ରୀନଗର: ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ବୁଧବାର ଅପରାହ୍ନ ସମୟରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଛି । କୁଲଗାମରେ କାର୍ଯ୍ୟରତ ସିଆରପିଏଫ୍ ଯବାନଙ୍କ ଉପରକୁ ବାଇକ୍ ଆରୋହୀ ଅଜ୍ଞାତ ବ୍ୟକ୍ତି ଗୁଳି ଚାଳନା କରିଛନ୍ତି । ଫଳରେ ତିନି ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ତିନି ଜଣଙ୍କୁ ଅନନ୍ତନାଗ ସରକାରୀ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ଥିବା କୁହାଯାଉଛି ।
ସିଆରପିଏଫର ସୂଚନା ମୁତାବକ, ବୁଧବାର ଅପରାହ୍ନ ୨ଟା ୧୫ ମିନିଟ୍ ସମୟରେ କୁଲଗାମ ଜିଲ୍ଲାର ଜାତୀୟ ରାଜପଥଠାରୁ ୪ କିଲୋମିଟର ଦୂରରେ ଥିବା ଆଖରନ ନୌପୁରା ଅଞ୍ଚଳରେ ବାଇକ ଆରୋହୀ ହଠାତ୍ ଆସି ସୁରକ୍ଷାବଳକୁ ଟାର୍ଗେଟ୍ କରି ଗୁଳି ଚଳାଇଥିଲେ । ସୁରକ୍ଷାବାହିନୀ ମଧ୍ୟ ଜବାବରେ ଗୁଳି ଚଳାଇଥିଲେ । କିନ୍ତୁ ୩ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଯବାନ ଆସାମର ରାକେଶ ଦାସ, ପଶ୍ଚିମବଙ୍ଗର ସନ୍ତୋଷ ଚନ୍ଦ୍ରୁ ଏବଂ ମଧ୍ୟ ପ୍ରଦେଶର ସୋମବୀର ସିଂ ବୋଲି ପରିଚୟ ସ୍ପଷ୍ଟ ହୋଇଛି ।
ରାକେଶ ଦାସଙ୍କ ଗୋଡ଼ରେ ଗୁଳି ବାଜିଛି । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସନ୍ତୋଷ ଚନ୍ଦ୍ରଙ୍କ ପେଟ ଏବଂ ମେରୁଦଣ୍ଡରେ ଗୁଳି ବାଜିଛି । ତାଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି । ସନ୍ତୋଷଙ୍କର ଜରୁରୀ ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ଦିଆଯାଇଛି । ସେହିପରି ସୋମବୀର ସିଂହଙ୍କ ବାମ ହାତରେ ଗୁଳି ବାଜିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସ୍ଥିର ରହିଛି ।
ଆତଙ୍କୀ ହମଲା ପରେ ଘଟଣା ସ୍ଥଳରେ କ୍ୱିକ୍ ରିଆକ୍ସନ୍ ଟିମ୍ ପହଁଚିଛି । ସମଗ୍ର ଅଞ୍ଚଳର ନାକାବନ୍ଦୀ କରି ଆତଙ୍କବାଦୀଙ୍କୁ ଧରିବାକୁ ତଲାସୀ ଅଭିଯାନ ଆରମ୍ଭ ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଜମ୍ମୁ କାଶ୍ମୀର ପୋଲିସ ଲସ୍କର-ଏ-ତୋୟବାର ୪ ଜଣ ସଦସ୍ୟଙ୍କ ପୋଷ୍ଟର ଜାରି କରିଛି ।