ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବରେ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ବଡ଼ ଘୋଷଣା। ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ୍କୁ ବଢ଼ାଯାଇଛି ଜରୁରୀକାଳୀନ ରିଲିଫ୍ ସହାୟତା। ଏଣିକି ଏହି ୩ ଜିଲ୍ଲାର ପ୍ରତ୍ୟେକ ଯୋଗ୍ୟ କ୍ଷତିଗ୍ରସ୍ତ ପରିବାରକୁ ୫୦ କେଜି ଚାଉଳ ସହ ୨,୫୦୦ ଟଙ୍କା ନଗଦ ସହାୟତା ମିଳିବ। ନଭେମ୍ବର ୧୧ ତାରିଖରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଜାରି ହୋଇଛି।
ପ୍ରତ୍ୟେକ ଯୋଗ୍ୟ ପରିବାରକୁ ୫୦ କେଜି ଚାଉଳ ଓ ୨୫୦୦ ଟଙ୍କା
ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ୍ ଜାରି କରିଥିବା ଚିଠିରେ ଯୋଗ୍ୟ ପରିବାରଙ୍କ ଗଣନା ଓ ଯାଞ୍ଚ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ କୁହାଯାଇଛି। ରିଲିଫ୍ ବଣ୍ଟନରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ଚାଉଳ ଯୋଗାଣ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଓ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ସହ ସମନ୍ୱୟ ରଖିବାକୁ ମଧ୍ୟ କୁହାଯାଇଛି।
ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ
ବାତ୍ୟା ଅର୍ଣ୍ଣବ ପରେ ନଭେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଭାବିତ ପରିବାରଙ୍କ ପାଇଁ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଥିଲେ। ଏଥିରେ ଚାଷୀ, ମତ୍ସ୍ୟଜୀବୀ, ଗୃହପାଳିତ ପଶୁଙ୍କ ମାଲିକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ମଧ୍ୟ ସହାୟତା ରହିଥିଲା।
୧୦୭ କୋଟିରୁ ଅଧିକ ଟଙ୍କା ମଞ୍ଜୁର
ଏହାପୂର୍ବରୁ ନଭେମ୍ବର ୪ ତାରିଖରେ ଗଞ୍ଜାମ ଓ କୋରାପୁଟର ପ୍ରଭାବିତ ପରିବାରଙ୍କ ପାଇଁ ୧୦୭ କୋଟି ୭୦ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଥିଲେ ସରକାର। ଏଥିରେ ଗଞ୍ଜାମର ୪ ଲକ୍ଷ ୨୯ ହଜାର ୭୮୨ ପରିବାର ଓ କୋରାପୁଟର ୧,୦୫୧ ପରିବାରଙ୍କୁ ୨,୫୦୦ ଟଙ୍କା ଲେଖାଏଁ ଦେବାର ବ୍ୟବସ୍ଥା ହୋଇଥିଲା।
କେନ୍ଦ୍ରକୁ ମାଗିଛନ୍ତି ୨,୫୨୬ କୋଟି
ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଆକଳନ ପାଇଁ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ୮ ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତ କରିଥିଲା। ଏହାପରେ ନଭେମ୍ବର ୬ ତାରିଖରେ ରାଜ୍ୟ ସରକାର ତୁରନ୍ତ ରିଲିଫ୍, ପୁନରୁଦ୍ଧାର ଓ ଭିତ୍ତିଭୂମି ମରାମତି ପାଇଁ କେନ୍ଦ୍ରକୁ ୨,୫୨୬ କୋଟି ଟଙ୍କାର ପ୍ରାଥମିକ ସହାୟତା ମାଗିଥିଲେ। ଏଥିସହ ଦୀର୍ଘମିଆଦୀ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ଅତିରିକ୍ତ ୧୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଦାବି କରିଥିଲେ।
ତେବେ ଏହି ନୂଆ ନିଷ୍ପତ୍ତି ଯୋଗୁଁ ଗଞ୍ଜାମ, ଗଜପତି ଓ କନ୍ଧମାଳର ଅଧିକ ଯୋଗ୍ୟ କ୍ଷତିଗ୍ରସ୍ତ ପରିବାର ରିଲିଫ୍ ପାଇପାରିବେ। କେତେ ପରିବାର ଏହାର ଲାଭ ପାଇବେ, ତାହା ଯାଞ୍ଚ ପରେ ସ୍ପଷ୍ଟ ହେବ।