ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଖୁସି ଖବର! ରବି ଫସଲ ଋତୁ ପୂର୍ବରୁ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି କେନ୍ଦ୍ର ସରକାର। ସାର ଦର ବୃଦ୍ଧିର ବୋଝ ଚାଷୀଙ୍କ ଉପରେ ନପଡ଼ିବା ପାଇଁ ୬୨,୩୭୦ କୋଟି ଟଙ୍କାର ସବସିଡିକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।
୬ ମାସ ପାଇଁ ୬୨,୩୭୦ କୋଟିର ସବସିଡି
୨୦୨୬-୨୭ ରବି ଋତୁ ପାଇଁ ଫସଫେଟିକ୍ ଓ ପଟାସିକ୍ (P&K) ସାର ଉପରେ ଏହି ସବସିଡି ମିଳିବ। ୨୦୨୬ ଅକ୍ଟୋବର ୧ରୁ ୨୦୨୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛଅ ମାସ ପାଇଁ ନ୍ୟୁଟ୍ରିଏଣ୍ଟ ବେସଡ୍ ସବସିଡି (NBS) ହାରକୁ ମଞ୍ଜୁରୀ ଦିଆଯାଇଛି। ଏହାଦ୍ୱାରା DAP ଓ NPKS ଭଳି ଜରୁରୀ ସାର ଚାଷୀଙ୍କୁ ସୁଲଭ ମୂଲ୍ୟରେ ମିଳିପାରିବ।
୧୩୫୦ ଟଙ୍କାରେ ମିଳିବ DAP ବସ୍ତା
ଏହି ନିଷ୍ପତ୍ତିର ସବୁଠାରୁ ବଡ଼ ଖାସ୍ କଥା ହେଉଛି DAP ସାରର ଦର ଅପରିବର୍ତ୍ତିତ ରହିବ। ଅନ୍ତର୍ଜାତୀୟ ବଜାରରେ ସାର ଓ କଞ୍ଚାମାଲର ଦର ବଢ଼ିଥିଲେ ମଧ୍ୟ ଚାଷୀଙ୍କୁ ୫୦ କେଜି DAP ବସ୍ତା ପିଛା ୧,୩୫୦ ଟଙ୍କା ଦେବାକୁ ପଡ଼ିବ। ଅର୍ଥାତ୍ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧିର ପ୍ରଭାବ ଚାଷୀଙ୍କ ଉପରେ ପଡ଼ିବ ନାହିଁ।
ରୁଷ୍-ୟୁକ୍ରେନ୍ ଯୁଦ୍ଧ, ପଶ୍ଚିମ ଏସିଆ ସଂଘର୍ଷର ପ୍ରଭାବ
ସାରା ବିଶ୍ୱରେ ଭୂରାଜନୈତିକ ଅସ୍ଥିରତା ଯୋଗୁଁ ସାରର ଅନ୍ତର୍ଜାତୀୟ ଦର ବଢ଼ିଛି। ବିଶେଷକରି ରୁଷ୍-ୟୁକ୍ରେନ୍ ଯୁଦ୍ଧ ଏବଂ ପଶ୍ଚିମ ଏସିଆରେ ଜାରି ସଂଘର୍ଷ ଯୋଗୁଁ ସାର ଯୋଗାଣ ଓ ମୂଲ୍ୟ ଉପରେ ପ୍ରଭାବ ପଡ଼ିଛି। କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଅନ୍ତର୍ଜାତୀୟ ସଙ୍କଟର ପ୍ରଭାବରୁ ଚାଷୀଙ୍କୁ ସୁରକ୍ଷା ଦେବା ହେଉଛି ସରକାରଙ୍କ ଲକ୍ଷ୍ୟ।
ସାର କମ୍ପାନିକୁ ସିଧାସଳଖ ମିଳିବ ସବସିଡି
ନ୍ୟୁଟ୍ରିଏଣ୍ଟ ବେସଡ୍ ସବସିଡି ବ୍ୟବସ୍ଥା ଅନୁସାରେ କେନ୍ଦ୍ର ସରକାର ଅନୁମୋଦିତ ସବସିଡି ରାଶି ସାର ଉତ୍ପାଦନକାରୀ ଓ ଆମଦାନୀକାରୀଙ୍କୁ ପ୍ରଦାନ କରିବେ। ଏହାଦ୍ୱାରା ବଜାରରେ ସାରର ଯୋଗାଣ ସ୍ୱାଭାବିକ ରହିବା ସହ ଚାଷୀଙ୍କୁ ଠିକ୍ ସମୟରେ ସାର ମିଳିବାରେ ସହାୟତା ମିଳିବ। ସରକାରଙ୍କ ଏହି ପଦକ୍ଷେପ ଶୀତକାଳୀନ ଫସଲ ଉତ୍ପାଦନ ବୃଦ୍ଧି, ମାଟିର ଉର୍ବରତା ବଜାୟ ରଖିବା ଏବଂ ଚାଷୀ ପରିବାରଙ୍କ ଆର୍ଥିକ ବୋଝ କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।