ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହା ପରବର୍ତ୍ତୀ ପ୍ରବଳ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଓଡ଼ିଶାର ୬ଟି ଜିଲ୍ଲାକୁ ମିଳିବ ଆର୍ଥିକ ସହାୟତା। ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମିର ମରାମତି ଓ ପୁନର୍ନିର୍ମାଣ ପାଇଁ ରାଜ୍ୟ ସରକାର ୪୮୨ କୋଟି ୪୨ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ଅର୍ଥ ଖର୍ଚ୍ଚ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍ କମିସନର (ଏସ୍ଆର୍ସି)ଙ୍କ ଅଧୀନରେ ଥିବା ଏସ୍ଡିଆର୍ଏଫ୍ ପାଣ୍ଠିରୁ ଅର୍ଥ ଯୋଗାଇ ଦିଆଯିବ।
ବାତ୍ୟା ଓ ବନ୍ୟାରେ ରାଜ୍ୟର ଗଞ୍ଜାମ, ଗଜପତି, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହି ଜିଲ୍ଲାଗୁଡ଼ିକରେ ସାଧାରଣ ଲୋକଙ୍କ ଜୀବନଯାପନ ସହ ଜଡ଼ିତ ଅନେକ ସରକାରୀ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ପୁନରୁଦ୍ଧାରକୁ ପ୍ରାଥମିକତା ଦିଆଯାଇଛି।
ଗଞ୍ଜାମକୁ ସର୍ବାଧିକ ୩୦୬ କୋଟିରୁ ଅଧିକ ଅନୁଦାନ
କ୍ଷୟକ୍ଷତି ଅନୁଯାୟୀ ଜିଲ୍ଲାଗୁଡ଼ିକ ପାଇଁ ଅର୍ଥ ମଞ୍ଜୁର କରାଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୩୦୬ କୋଟି ୫୪ ଲକ୍ଷ ଟଙ୍କା ମିଳିଛି। ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ମଧ୍ୟ ଅର୍ଥ ଅନୁମୋଦନ କରାଯାଇଛି।
ଜିଲ୍ଲାୱାରୀ ଅନୁଦାନ
ଗଞ୍ଜାମ: ୩୦୬ କୋଟି ୫୪ ଲକ୍ଷ ଟଙ୍କା।
ଗଜପତି: ୧୦୯ କୋଟି ୯୭ ଲକ୍ଷ ଟଙ୍କା।
କନ୍ଧମାଳ: ୪୨ କୋଟି ୫୭ ଲକ୍ଷ ଟଙ୍କା।
ନୂଆପଡ଼ା: ୧୫ କୋଟି ୮ ଲକ୍ଷ ଟଙ୍କା।
ନବରଙ୍ଗପୁର: ୭ କୋଟି ୭୮ ଲକ୍ଷ ଟଙ୍କା।
ରାୟଗଡ଼ା: ୯୭ ଲକ୍ଷ ୬୦ ହଜାର ଟଙ୍କା।
କେଉଁ କେଉଁ ପ୍ରକଳ୍ପରେ ଖର୍ଚ୍ଚ ହେବ ଅର୍ଥ?
ମଞ୍ଜୁର ହୋଇଥିବା ଅର୍ଥରେ ବାତ୍ୟା ଓ ବନ୍ୟା ଯୋଗୁଁ ନଷ୍ଟ ହୋଇଥିବା ବିଭିନ୍ନ ସରକାରୀ ଭିତ୍ତିଭୂମିର ମରାମତି କରାଯିବ। ଏଥିରେ ବିଦ୍ୟାଳୟ ଗୃହ, କମ୍ୟୁନିଟି ହଲ୍, ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ପୁନର୍ନିର୍ମାଣ ସାମିଲ ରହିଛି।
ସେହିପରି ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ଅଧୀନରେ ଥିବା ରାସ୍ତା, ପୋଲ, କଲଭର୍ଟ ଆଦିର ମରାମତି କରାଯିବ। ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ସହ କ୍ଷତିଗ୍ରସ୍ତ ଜଳ ପ୍ରକଳ୍ପ ଓ ନଳକୂପଗୁଡ଼ିକର ମଧ୍ୟ ପୁନରୁଦ୍ଧାର ହେବ।