ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟୀ ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ଝିଅ ହର୍ଷିତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଆସିଛି । ୭ କୋଟି ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି ତାଙ୍କୁ ଧମକ ଦିଆଯାଇଛି । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ନାମରେ ଏହି ଧମକ ଆସିଥିବା ଜଣାପଡ଼ିଛି ।
ଦିଲ୍ଲୀ ତିଳକ ନଗର ବିଧାୟକ ଜରନୈଲ ସିଂହଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଏବଂ ୱାଟ୍ସଆପ୍ ମେସେଜ୍ ଆସିଛି । କେଜ୍ରିୱାଲଙ୍କୁ ଏହି ସୂଚନା ଦେବାକୁ କୁହାଯାଇଚି । ଏ ନେଇ ମୌହାଲୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଥିଲା ।
ବିଧାୟକ ଜରନୈଲ ସିଂହ ପୋଲିସ ଅଭିଯୁକ୍ତର ମୋବାଇଲ୍ ନମ୍ବର, କଲ୍ ଡିଟେଲ୍ସ ଦାଖଲ କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ପରିବାରର ସୁରକ୍ଷା ବଢ଼ାଇବାକୁ ଦାବି କରିଛନ୍ତି ।
ସାଇବର କ୍ରାଇମ ଥାନା ପୋଲିସ ସୁନୀଲ କୁମାର ମାମଲାର ତଦନ୍ତ କରୁଛନ୍ତି । ପୋଲିସ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ହରିୟାଣା ରୋହତକର ବାସିନ୍ଦା ବୋଲି ପ୍ରାଥମିକ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ପୋଲିସ ପକ୍ଷରୁ ଏ ନେଇ କୌଣସି ସୂଚନା ଦେଇ ନାହିଁ ।
ଏହା ଉଲ୍ଲେଖନୀୟ ଯେ କେଜରିୱାଲଙ୍କୁ ପୂର୍ବରୁ ମେ ୨୦୨୪ ରେ ହତ୍ୟା ଧମକ ମିଳିଥିଲା। ଏକ ମେଟ୍ରୋ ଟ୍ରେନ କୋଚ ଭିତରେ ଅନେକ ମେସେଜ ଲେଖାଯାଇଥିଲା, ଯେଉଁଥିରେ ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା।