ପୁରୀ: ଅଁଳା ନବମୀରେ ସାକ୍ଷୀଗୋପାଳରେ ଜମିବ ଭକ୍ତଙ୍କ ଭିଡ଼। ବର୍ଷକୁ ମାତ୍ର ଥରେ ମିଳୁଥିବା ମା' ରାଧାରାଣୀଙ୍କ ଦୁର୍ଲଭ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାରୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନଭେମ୍ବର ୧୮ ତାରିଖରେ ଅଁଳା ନବମୀ ଅବସରରେ ସୁରୁଖୁରୁରେ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ୨୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବେ।
ସୋମବାର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଏନେଇ ସୂଚନା ଦେଇଛନ୍ତି। ସୁରକ୍ଷା ଦାୟିତ୍ୱରେ ୨ ଜଣ ଅତିରିକ୍ତ ଏସ୍ପି, ୧୧ ଜଣ ଡିଏସ୍ପି ଓ ଡେପୁଟି କମାଣ୍ଡାଣ୍ଟ, ୨୧ ଜଣ ଇନ୍ସପେକ୍ଟର ଏବଂ ୭୦ ଜଣ ଏଏସ୍ଆଇ ପାହ୍ୟାର ଅଧିକାରୀ ନିୟୋଜିତ ହେବେ।
୬ ଧାଡ଼ି ବ୍ୟାରିକେଡ୍ରେ ହେବ ଦର୍ଶନ
ମନ୍ଦିର ପରିସରରେ ଶୃଙ୍ଖଳିତ ଦର୍ଶନ ପାଇଁ ୬ ଧାଡ଼ି ବିଶିଷ୍ଟ ଜିଗ୍ଜାଗ୍ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ନିର୍ଦ୍ଧାରିତ ପ୍ରବେଶ ଓ ପ୍ରସ୍ଥାନ ପଥ ଦେଇ ଯାତାୟାତ କରିବେ। ଧାଡ଼ିରେ ଅପେକ୍ଷା କରୁଥିବା ଭକ୍ତଙ୍କୁ ଖରା ଓ ବର୍ଷାରୁ ସୁରକ୍ଷା ଦେବା ପାଇଁ ବ୍ୟାରିକେଡ୍ ଉପରେ ଛାତର ବ୍ୟବସ୍ଥା କରାଯାଇଛି। ମୋବାଇଲ୍ ଫୋନ୍ ଓ ଜୋତା ରଖିବା ପାଇଁ ମଧ୍ୟ ନୂଆ ଷ୍ଟାଣ୍ଡ୍ ସ୍ଥାପନ କରାଯାଇଛି।
କେଉଁଠି କରିବେ ଗାଡ଼ି ପାର୍କିଂ?
ଭକ୍ତ ଓ ଯାତ୍ରୀଙ୍କ ସୁବିଧା ପାଇଁ ପୁରୀ ପୋଲିସ ପକ୍ଷରୁ ଅଁଳା ନବମୀ ୨୦୨୬ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ରୁଟ୍ ମ୍ୟାପ୍ ଜାରି କରାଯାଇଛି।
- ଚାରିଚକିଆ ଯାନ: ରେଳୱେ, କୋଠାଉପଡ଼ା, କଳ୍ପନା ମଣ୍ଡପ ଓ ସାରୁଗୁଡ଼ିଆ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା।
- ଦୁଇଚକିଆ ଯାନ: ରେଳୱେ, ପୋଡ଼ଙ୍ଗା ସାହି, ସାରୁଗୁଡ଼ିଆ, ସରସ୍ୱତୀ ଶିଶୁ ମନ୍ଦିର ଓ କୋଠା ଗୋପାଳ ପାର୍କିଂରେ ବ୍ୟବସ୍ଥା।
- ଅଧିକାରୀ, ସାମ୍ବାଦିକ ଓ ସ୍ୱେଚ୍ଛାସେବୀ: ମିଡିଆ ଅଫିସିଆଲ୍ ପାର୍କିଂରେ ବ୍ୟବସ୍ଥା।
- ପାସ୍ଧାରୀଙ୍କ ଗାଡ଼ି: ମେଳା ପଡ଼ିଆ ନିକଟସ୍ଥ ୟୁନିଭର୍ସିଟି ପାର୍କିଂରେ ପାର୍କିଂ ସୁବିଧା।
ଟ୍ରାଫିକ୍ ନିୟମ ମାନିବାକୁ ଅନୁରୋଧ
ଅଁଳା ନବମୀରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଭକ୍ତ ଓ ଯାତ୍ରୀଙ୍କୁ ନିର୍ଦ୍ଧାରିତ ଟ୍ରାଫିକ୍ ନିୟମ ମାନିବାକୁ ଅନୁରୋଧ କରାଯାଇଛି। ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ସହଯୋଗ କରିବା ସହ କେବଳ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ି ରଖିବାକୁ ପରାମର୍ଶ ଦିଆଯାଇଛି।
ବର୍ଷକୁ ଥରେ ମିଳୁଥିବା ମା'ଙ୍କ ଏହି ଦୁର୍ଲଭ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଅପେକ୍ଷା କରିଥିବା ବେଳେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ ସମ୍ପନ୍ନ କରିବା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ।