ଭୁବନେଶ୍ୱର: ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ ଉପସ୍ଥିତ ଥିଲେ । ଗୃହକୁ ସୁରୁଖରେ ଚଳାଇବାକୁ ସମସ୍ତ ସଦସ୍ୟଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟାରେ କହିଛନ୍ତି ଯେ ସରିଲା ଗୃହକୁ ସୁରୁଖୁରୁରେ ଚଳାଇବାକୁ ନିଷ୍ପତ୍ତି ହୋଇଛି । ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ଯେଉଁ ପ୍ରସ୍ତାବ ଆସିବ ତାହାକୁ ଆଲୋଚନା କରାଯିବ । ଚଳିତ ଅଧିବେଶନରେ ୫ ଟି ବିଲ୍ ଆସିବ । ନଭେମ୍ବର ୧୮ରୁ ଡିସେମ୍ବର ୩୧ ତାରିଖ ଯାଏ ଚାଲିବାକୁ ଥିବା ଗୃହକାର୍ଯ୍ୟକୁ ସୁରୁଖରେ ଚାଲିବାକୁ ନେଇ ଆଶାବ୍ୟକ୍ତ କରିଛନ୍ତି ମନ୍ତ୍ରୀ ।
ବନ୍ୟା-ବାତ୍ୟାକୁ ପ୍ରସଙ୍ଗ କରିବ ବିଜେଡ଼ି
ସର୍ବଦଳୀୟ ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ଦେଇଛନ୍ତି ଯେ ରାଜ୍ୟରେ ବାତ୍ୟା ଓ ବନ୍ୟା ପରିଚାଳନା ନେଇ ବିଜେଡ଼ି ମୋସନ ଆଣିଛି । ସବୁ କାର୍ଯ୍ୟକ୍ରମକୁ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବିଜେଡ଼ି ଦାବି କରିଛି । ତତସହିତ ଦଳ ଆଇନ ଶୃଙ୍ଖଳା, ଭତ୍ତା ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ସମସ୍ୟା ପ୍ରସଙ୍ଗ ଗୃହରେ ଉଠାଇବ ବୋଲି ସେ କହିଛନ୍ତି ।
କୋଟିଆ ପ୍ରସଙ୍ଗ ଉଠାଇବ କଂଗ୍ରେସ
ସେହିପରି କଂଗ୍ରେସ ମଧ୍ୟ କୋଟିଆକୁ ପ୍ରସଙ୍ଗ ଉଠାଇବ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ କୋଟିଆ ପ୍ରସଙ୍ଗକୁ ବିଧାନସଭାରେ ଉଠାଯିବା ନେଇ ସୂଚନା ଦେଇଛନ୍ତି । ସେହିପରି ବନ୍ୟା ଓ ବାତ୍ୟା ପ୍ରସଙ୍ଗ ଉଠାଇବ କଂଗ୍ରେସ ।
ଏଠାରେ ଉଲ୍ଲେଖ ଯୋଗ୍ୟ ଆଜି ବିରୋଧୀ ଦଳ ବିଜେଡି ସରକାରଙ୍କୁ ଘେରିବା ପାଇଁ ସନ୍ଧ୍ୟା ୫ଟାରେ ଶଙ୍ଖ ଭବନରେ ବିଧାୟକ ଦଳ ବୈଠକ ଡାକିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାରଙ୍କୁ ଘେରିବାକୁ ବିଭିନ୍ନ ରଣନୀତି ପ୍ରସ୍ତୁତ କରବ । ବିଶେଷ କରି ଗଞ୍ଜାମ ବନ୍ୟା, କୋଟିଆ ସୀମା ବିବାଦ, ମହାନଦୀ ଜଳ ବିବାଦ, ବିପର୍ଯ୍ୟୟ ପରିଚାଳନାରେ ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ପରିସ୍ଥିତି, କେନ୍ଦ୍ରୀୟ ଅବହେଳା, ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ଆଲୋଚନା ହେବ ବୋଲି ଦଳୀୟ ବିଧାୟକ ସୂଚନା ଦେଇଛନ୍ତି ।