ପୁରୀ: ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଖଜାର ମାନ ଓ ସ୍ୱଚ୍ଛତାକୁ ନେଇ ଉଠିଲା ପ୍ରଶ୍ନ। ଖଜା ପ୍ରସ୍ତୁତି କାରଖାନାରେ ଅସ୍ୱାସ୍ଥ୍ୟକର ପରିବେଶ ନେଇ ଲଗାତାର ଅଭିଯୋଗ ପରେ ଆକ୍ସନ ମୋଡ୍କୁ ଆସିଛି ପ୍ରଶାସନ। ପୁରୀ ପୋଲିସ, ପୁରୀ ମ୍ୟୁନିସିପାଲ କର୍ପୋରେସନ (PMC) ଓ ଖାଦ୍ୟ ସୁରକ୍ଷା ବିଭାଗର ମିଳିତ ଟିମ୍ ବିଭିନ୍ନ ଖଜା ପ୍ରସ୍ତୁତି କେନ୍ଦ୍ରରେ ଅଚାନକ ଚଢ଼ାଉ କରିଛି। ବିଶେଷକରି ବାଲିସାହିର ଖୁଣ୍ଟିଆ ଜାଗା ନିକଟରେ ଥିବା ଏକ ପ୍ରମୁଖ ଖଜା ତିଆରି ୟୁନିଟ୍କୁ ଯାଞ୍ଚ ପରିସରକୁ ନିଆଯାଇଥିଲା।
ଖଜା ତିଆରି କାରଖାନାରେ ସ୍ୱଚ୍ଛତାକୁ ନେଇ ଚିନ୍ତା
ଯାଞ୍ଚ ସମୟରେ କେତେକ କେନ୍ଦ୍ରରେ ଖଜା ପ୍ରସ୍ତୁତି ପାଇଁ ଅସ୍ୱାସ୍ଥ୍ୟକର ପରିବେଶ ଥିବା ନେଇ ଅଧିକାରୀଙ୍କ ପକ୍ଷରୁ ଅଭିଯୋଗ ସାମ୍ନାକୁ ଆସିଛି। ଅଳିଆ ଆବର୍ଜନାର ଠିକ୍ ଭାବେ ପରିଚାଳନା ନହେବା, କର୍ମଚାରୀଙ୍କ ସ୍ୱଚ୍ଛତା ପ୍ରତି ଅବହେଳା ଏବଂ ସାମଗ୍ରୀ ସଂରକ୍ଷଣରେ ଅନିୟମିତତା ଭଳି ସମସ୍ୟା ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ଉପରେ ନଜର
ପୁରୀର ଖଜା କେବଳ ଏକ ମିଠା ନୁହେଁ, ଏହା ଶ୍ରୀକ୍ଷେତ୍ରର ଏକ ପରିଚୟ। ମହାପ୍ରସାଦ ସଂସ୍କୃତି ସହ ଜଡ଼ିତ ଏହି ପ୍ରସିଦ୍ଧ ମିଠାକୁ ଦେଶବିଦେଶରୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ପସନ୍ଦ କରନ୍ତି। ତେଣୁ ଏହାର ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ନିୟମ ପାଳନ ଅତ୍ୟନ୍ତ ଜରୁରୀ।
ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ
ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ୟୁନିଟ୍ଗୁଡ଼ିକ ବିରୋଧରେ କଡ଼ା ଆଇନଗତ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ପୁରୀ ଜିଲ୍ଲାର ବିଭିନ୍ନ ଖାଦ୍ୟ ପ୍ରସ୍ତୁତି କେନ୍ଦ୍ରରେ ଏଭଳି ଅଚାନକ ଯାଞ୍ଚ ଜାରି ରହିବ। ଏବେ ବଡ଼ ପ୍ରଶ୍ନ, ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଖଜାର ମାନ ଓ ସ୍ୱଚ୍ଛତା ବଜାୟ ରଖିବାକୁ ପ୍ରଶାସନ ଆଗକୁ ଆଉ କି ପଦକ୍ଷେପ ନେବ?