ପୁରୀ : ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ। ଏହି ପଞ୍ଚୁକ ବ୍ରତ ସମୟରେ ମହାପ୍ରଭୁ ବିଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାନ୍ତି । ଶ୍ରୀଜିଉଙ୍କ ଏହି ଦୁର୍ଲଭବେଶ ଦେଖିବା ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ । ଚଳିତ ବର୍ଷ ୪ ଦିନ ଧରି ବ୍ରତ ପାଳିବେ ଶ୍ରଦ୍ଧାଳୁ ।ସେଥିଲାଗି ବଡ଼ଦାଣ୍ଡ,ସିଂହଦ୍ୱାର, ଶ୍ରୀମନ୍ଦିର ଓ ବାହାରର ସ୍ଥିତି ଅନୁଧ୍ୟାନ କରାଯାଇଛି । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁରକ୍ଷିତ ଦର୍ଶନ ଲାଗି ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ଡା. ସତ୍ୟଜିତ୍ ନାୟକ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପୁଲିସର ପ୍ରାଥମିକତା ଅଟେ ତେଣୁ ଶ୍ରଦ୍ଧାଳୁମାନେ ବଡ଼ଦାଣ୍ଡରେ ନିର୍ମିତ ବ୍ୟାରିକେଡ୍ରେ ସିଂହଦ୍ୱାରରେ ପହଞ୍ଚିବେ । ସିଂହଦ୍ୱାର, ବାଇଶିପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ । ଦର୍ଶନ ପରେ ଶ୍ରଦ୍ଧାଳୁମାନେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଦ୍ୱାର ଦେଇ ବାହାରକୁ ବାହାରିବେ । ପଞ୍ଚୁକ ୪ ଦିନ ଶ୍ରଦ୍ଧାଳୁମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବାର ବ୍ୟବସ୍ଥା ରହିଛି । ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ଲାଗି କ୍ଲିୟରାନ୍ସ ଟିମ୍ ମୁତୟନ କରାଯିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ଲାଗି ପାଖାପାଖି ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ ବୋଲି ଆଇଜି ସ୍ପଷ୍ଟ କରିଛନ୍ତି ।
ଅନ୍ୟପକ୍ଷେ ପଞ୍ଚୁକ ବ୍ରତକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ୨୧ତାରିଖ ସକାଳ ୬ . ୩୨ମିନିଟ ଯାଏଁ ରହୁଛି ଏକାଦଶୀ ତିଥି । ସେହିପରି ପରଦିନ ଭୋର ଅର୍ଥାତ ୨୨ତାରିଖ ଭୋର ୪.୪୭ ମିନିଟ ରେ ଦ୍ୱାଦଶୀ ଏବଂ ତ୍ରୟୋଦଶୀ ତିଥି ରହୁଛି । ତେବେ ୪ ଦିନ ପଞ୍ଚୁକ ପାଳନ ହେବ।