ନୂଆଦିଲ୍ଲୀ: IPL 2027 ପୂର୍ବରୁ ଖେଳାଳି ଅଦଳବଦଳକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି। ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ଛାଡ଼ି ରାଜସ୍ଥାନ ରୟାଲ୍ସ (RR)ରେ ଯୋଗଦେଇପାରନ୍ତି। ଅନ୍ୟପଟେ ଇଂଲଣ୍ଡର ଅଲରାଉଣ୍ଡର ସାମ କରନ ରାଜସ୍ଥାନ ଛାଡ଼ି ଲକ୍ଷ୍ନୌ ଦଳକୁ ଆସିବା ନେଇ ରିପୋର୍ଟ ପ୍ରକାଶ ପାଇଛି।
ନଭେମ୍ବର ୧୭ ତାରିଖ IPL 2027 ରିଟେନସନ୍ ଡେଡଲାଇନ୍ ପୂର୍ବରୁ ଏହି ଟ୍ରେଡ୍ ଡିଲ୍ ଚୂଡ଼ାନ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଅଦଳବଦଳରେ ତାମିଲନାଡୁର ବାମହାତୀ ସ୍ପିନର ଏମ୍ ସିଦ୍ଧାର୍ଥ ମଧ୍ୟ ସାମିଲ ହୋଇପାରନ୍ତି। ତେବେ ଫ୍ରାଞ୍ଚାଇଜ୍ ପକ୍ଷରୁ ଏ ନେଇ ଆନୁଷ୍ଠାନିକ ଘୋଷଣା ହୋଇନାହିଁ।
ରାଜସ୍ଥାନ ପାଇଁ ଶାମି କାହିଁକି ଗୁରୁତ୍ୱପୂର୍ଣ୍ଣ ?
୩୬ ବର୍ଷୀୟ ଶାମି ନିଜର ଅଭିଜ୍ଞତା ଓ ନୂଆ ବଲ୍ରେ ୱିକେଟ୍ ନେବାର ଦକ୍ଷତା ପାଇଁ ଜଣାଶୁଣା। IPL 2026ରେ ସେ ୧୩ଟି ମ୍ୟାଚ୍ ଖେଳି ୧୨ଟି ୱିକେଟ୍ ନେଇଥିଲେ। ତାଙ୍କ ଇକୋନୋମି ରେଟ୍ ୯ ରନ୍ ରହିଥିଲା। ରାଜସ୍ଥାନ ଦଳରେ ଯଦି ଶାମି ସାମିଲ ହୁଅନ୍ତି, ତେବେ ଜୋଫ୍ରା ଆର୍ଚରଙ୍କ ସହ ତାଙ୍କ ଯୋଡ଼ି ନୂଆ ବଲ୍ରେ ବିପକ୍ଷ ବ୍ୟାଟରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ବିଶେଷକରି ପାୱାରପ୍ଲେରେ ୱିକେଟ୍ ନେବା ପାଇଁ ରାଜସ୍ଥାନକୁ ଜଣେ ଅଭିଜ୍ଞ ଭାରତୀୟ ପେସରଙ୍କ ଆବଶ୍ୟକତା ରହିଛି।
ଲକ୍ଷ୍ନୌ ପାଇଁ ସାମ କରନ ହେବେ ବଡ଼ ଅସ୍ତ୍ର
ଅନ୍ୟପଟେ ସାମ କରନଙ୍କୁ ଦଳରେ ସାମିଲ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିଜର ଅଲରାଉଣ୍ଡର ବିଭାଗକୁ ମଜବୁତ କରିବାକୁ ଚାହୁଁଛି। ବ୍ୟାଟିଂ ସହ ବୋଲିଂରେ ମଧ୍ୟ ଦକ୍ଷ କରନ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି।
୨୦୨୬ IPL ସିଜିନ୍ରେ ଆହତ ସମସ୍ୟା ଯୋଗୁଁ କରନ ଖେଳିପାରି ନଥିଲେ। ଏବେ ସେ ଲକ୍ଷ୍ନୌ ଦଳକୁ ଆସିଲେ ଏହା ତାଙ୍କର ତୃତୀୟ IPL ଫ୍ରାଞ୍ଚାଇଜ୍ ହେବ। ପୂର୍ବରୁ ସେ ପଞ୍ଜାବ କିଙ୍ଗସ୍ ଓ ଚେନ୍ନାଇ ସୁପର କିଙ୍ଗସ୍ ପକ୍ଷରୁ ଖେଳିଛନ୍ତି। ଲକ୍ଷ୍ନୌ ଦଳର କ୍ରିକେଟ୍ ନିର୍ଦ୍ଦେଶକ ଟମ୍ ମୁଡିଙ୍କ ସହ କରନଙ୍କ ଭଲ ସମ୍ପର୍କ ରହିଛି। ଉଭୟ ପୂର୍ବରୁ ବିଭିନ୍ନ ଟି-୨୦ ଲିଗ୍ରେ ଏକାଠି କାମ କରିଛନ୍ତି। ତେଣୁ ଲକ୍ଷ୍ନୌ ଦଳରେ କରନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ।