ଭୁବନେଶ୍ୱର: ରାଜ୍ୟର କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ନିର୍ମାଣ ହେବ ଅତ୍ୟାଧୁନିକ ବ୍ଲକସ୍ତରୀୟ ଷ୍ଟାଡିୟମ୍। ଏଥିପାଇଁ ମୋଟ ୪,୧୨୪ କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପ ଜରିଆରେ ଗ୍ରାମାଞ୍ଚଳର ଯୁବପିଢ଼ିଙ୍କୁ ଉନ୍ନତ କ୍ରୀଡ଼ା ସୁବିଧା ଯୋଗାଇବା ସହ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାଙ୍କୁ ସାମ୍ନାକୁ ଆଣିବାକୁ ଯୋଜନା ରହିଛି।
ଏହି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ବୈଷୟିକ ଦିଗ ସମ୍ପର୍କରେ ଆଲୋଚନା ପାଇଁ ସୋମବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଏକ ସ୍ୱତନ୍ତ୍ର ଦିଗଦର୍ଶନ ତଥା ବୈଷୟିକ ଉପସ୍ଥାପନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପ୍ରକଳ୍ପର ରୂପରେଖ, ଆବଶ୍ୟକ ଭିତ୍ତିଭୂମି ଓ ନିର୍ମାଣ ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଗୋଟିଏ ଷ୍ଟାଡିୟମ୍ରେ ମିଳିବ ଏକାଧିକ କ୍ରୀଡ଼ାର ସୁବିଧା
ପ୍ରସ୍ତାବିତ ଷ୍ଟାଡିୟମ୍ଗୁଡ଼ିକରେ କେବଳ ଗୋଟିଏ କିମ୍ବା ଦୁଇଟି ଖେଳ ନୁହେଁ, ବରଂ ବିଭିନ୍ନ କ୍ରୀଡ଼ା ପାଇଁ ଆବଶ୍ୟକ ସୁବିଧା ଉପଲବ୍ଧ ହେବ। ଏଥିରେ ଫୁଟବଲ୍ ଓ କ୍ରିକେଟ୍ ପଡ଼ିଆ ସହ ଆଥଲେଟିକ୍ସ ଟ୍ରାକ୍, ଥ୍ରୋ ଏରିଆ ଏବଂ ଜମ୍ପ ଏରିଆ ନିର୍ମାଣ କରାଯିବ। ସେହିପରି ଭଲିବଲ୍ ଖେଳ ପାଇଁ ସ୍ୱତନ୍ତ୍ର କୋର୍ଟ ରହିବ।
ଓଡ଼ିଶାର ପାରମ୍ପରିକ ଓ ଦେଶୀ ଖେଳ ଖୋଖୋ ଏବଂ କବାଡ଼ି ପାଇଁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯିବ।ଇନଡୋର ଖେଳକୁ ମଧ୍ୟ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି। ପ୍ରତି ଷ୍ଟାଡିୟମ୍ରେ ଇନଡୋର ହଲ୍ ନିର୍ମାଣ ହେବ। ଏଠାରେ ବ୍ୟାଡମିଣ୍ଟନ ଓ ଟେବୁଲ୍ ଟେନିସ୍ ଭଳି ଖେଳ ପାଇଁ ସୁବିଧା ରହିବ।
ଖେଳାଳିଙ୍କ ପାଇଁ ରହିବ ଆଧୁନିକ ସୁବିଧା
କ୍ରୀଡ଼ା ଭିତ୍ତିଭୂମି ସହ ଷ୍ଟାଡିୟମ୍ଗୁଡ଼ିକରେ ଆବଶ୍ୟକ ସାଧାରଣ ସୁବିଧା ଯୋଗାଇବା ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ପ୍ରତି ଷ୍ଟାଡିୟମ୍ରେ କମନ୍ ଫାସିଲିଟି ସେଣ୍ଟର ବା ସାଧାରଣ ସୁବିଧା କେନ୍ଦ୍ର ରହିବ। ଏହାବ୍ୟତୀତ ପାନୀୟ ଜଳ ଯୋଗାଣ, ଜଳ ନିଷ୍କାସନ ଓ ସ୍ୱେରେଜ୍ ବ୍ୟବସ୍ଥା, ଆଲୋକୀକରଣ ଏବଂ ସୁରକ୍ଷା ଭଳି ମୌଳିକ ଆବଶ୍ୟକତାକୁ ମଧ୍ୟ ପ୍ରକଳ୍ପରେ ସାମିଲ କରାଯାଇଛି।
ଗାଁରୁ ବାହାରିବେ ନୂଆ କ୍ରୀଡ଼ା ପ୍ରତିଭା
ଏହି ଯୋଜନାର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଥିବା ପ୍ରତିଭାବାନ ଖେଳାଳିଙ୍କୁ ଉପଯୁକ୍ତ ମଞ୍ଚ ଯୋଗାଇଦେବା। ବ୍ଲକସ୍ତରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯିବ। ଏହାଦ୍ୱାରା ଛୋଟ ବୟସରୁ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ମିଳିପାରିବ।
ବିଶେଷକରି ଗ୍ରାମାଞ୍ଚଳର ଯୁବକ ଓ ଯୁବତୀମାନେ ନିଜ ବ୍ଲକରେ ହିଁ ଆଧୁନିକ କ୍ରୀଡ଼ା ସୁବିଧା ପାଇପାରିବେ। ଫଳରେ ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ ନୂଆ ପ୍ରତିଭା ସୃଷ୍ଟି ହେବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ ବଢ଼ିବାର ଆଶା ରହିଛି।
କାର୍ଯ୍ୟକ୍ରମରେ ଯୋଗଦେଲେ କ୍ରୀଡ଼ା ମନ୍ତ୍ରୀ
କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହାସହ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଭୂପେନ୍ଦ୍ର ସିଂ ପୁନିଆ, କ୍ରୀଡ଼ା ନିର୍ଦ୍ଦେଶକ ଡ. ୟେଦୁଲା ବିଜୟ, ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ପଣ୍ଡା ଏବଂ ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ୱାଇଁ ଉପସ୍ଥିତ ଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ ଓ ଇଡ୍କୋର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଯୋଗଦେଇଥିଲେ।