ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୭ ମେଗା ଅକ୍ସନ୍ ବା ନିଲାମୀ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ନିଜର ରିଟେନସନ୍ ତାଲିକା ଘୋଷଣା କରିଛି। କ୍ରମାଗତ ଦୁଇଥରର ବିଜେତା ଆରସିବି ଆଗାମୀ ସିଜନ୍ ପାଇଁ ଦଳରୁ ମୋଟ ୫ ଜଣ ଖେଳାଳିଙ୍କୁ ବାଦ୍ ଦେଇଛି। ଏହି ରିଲିଜ୍ ତାଲିକାରେ ଇଂଲଣ୍ଡର ଯୁବ ତଥା ବିସ୍ଫୋରକ ବ୍ୟାଟର ଜ୍ୟାକବ ବେଥେଲଙ୍କ ନାମ ସାମିଲ ଥିବାବେଳେ, ଅନ୍ୟ ୪ ଜଣ ଖେଳାଳିଙ୍କୁ ମଧ୍ୟ ଫ୍ରାଞ୍ଚାଇଜ୍ ମୁକ୍ତ କରିଛି। ତେବେ ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିବା ଜିତେଶ ଶର୍ମା ଏବଂ ଭେଙ୍କଟେଶ ଆୟରଙ୍କୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦଳ ଉଭୟଙ୍କୁ ନିଜ ପାଖରେ ବଜାୟ ରଖିଛି।
କୋର୍ ଗ୍ରୁପ୍ ଉପରେ ଭରସା ରଖିଲା ଫ୍ରାଞ୍ଚାଇଜ୍
ଆରସିବି ମ୍ୟାନେଜମେଣ୍ଟ ଆଗାମୀ ସଂସ୍କରଣ ପାଇଁ ନିଜର ପ୍ରମୁଖ କୋର୍ ଖେଳାଳିଙ୍କ ଉପରେ ପୁଣିଥରେ ଭରସା ପ୍ରକଟ କରିଛି। ଫ୍ରାଞ୍ଚାଇଜ୍ ପକ୍ଷରୁ ମୋଟ ୧୯ ଜଣ ଖେଳାଳିଙ୍କୁ ଦଳରେ ରିଟେନ୍ କରାଯାଇଛି। ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ ୱିକେଟକିପର ବ୍ୟାଟର ଜିତେଶ ଶର୍ମା ଏବଂ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ଆରସିବି ରିଲିଜ୍ କରିଦେଇପାରେ। କିନ୍ତୁ ଶେଷରେ ଏହି ସମସ୍ତ ଖବର କେବଳ ଗୁଜବ ବୋଲି ପ୍ରମାଣିତ ହୋଇଛି ଏବଂ ଦଳ ଏହି ଦୁଇ ଷ୍ଟାର ଖେଳାଳିଙ୍କୁ ରିଟେନ୍ କରି ସମସ୍ତଙ୍କୁ ଚମକାଇ ଦେଇଛି।
ଆରସିବିରୁ ରିଲିଜ୍ ହୋଇଥିବା ୫ ଖେଳାଳି
ନିଲାମୀ ପୂର୍ବରୁ ଦଳ ଯେଉଁ ୫ ଜଣ ଖେଳାଳିଙ୍କୁ ବିଦାୟ ଦେଇଛି, ସେମାନେ ହେଲେ:
ଜ୍ୟାକବ ବେଥେଲ
ରିଚାର୍ଡ ଗ୍ଲିସନ୍
ମଙ୍ଗେଶ ଯାଦବ
ସାତ୍ୱିକ ଦେଶୱାଲ
ବିହାନ ମାଲହୋତ୍ରା
ଆରସିବିର ରିଟେନ୍ ଖେଳାଳିଙ୍କ ସମ୍ପୂର୍ଣ୍ଣ ତାଲିକା
ରଜତ ପାଟିଦାର (ଅଧିନାୟକ), ବିରାଟ କୋହଲି, ଜିତେଶ ଶର୍ମା, ଭୁବନେଶ୍ୱର କୁମାର, କୃଣାଲ ପାଣ୍ଡ୍ୟା, ଜୋଶ ହେଜଲଉଡ୍, ଫିଲ୍ ସଲ୍ଟ, ଟିମ୍ ଡେଭିଡ୍, ରୋମାରିଓ ଶେଫର୍ଡ, ଦେବଦତ୍ତ ପାଡିକଲ, ନୁୱାନ ତୁଷାରା, ଭେଙ୍କଟେଶ ଆୟର, ଜ୍ୟାକବ ଡଫି, ଜୋର୍ଡାନ କକ୍ସ, ରସିଖ ସଲାମ ଡାର, ସୁୟଶ ଶର୍ମା, ଭିକି ଓସ୍ତୱାଲ, ଅଭିନନ୍ଦନ ସିଂହ, କନିଷ୍କ ଚୌହାନ ଏବଂ ୟଶ ଦୟାଲ।