ନୂଆଦିଲ୍ଲୀ: ଗ୍ରାହକମାନଙ୍କୁ ବିଭ୍ରାନ୍ତ କରିବା ଏବଂ ଶୀଘ୍ର ଗାଡ଼ି ପାଇବା ଆଶାରେ ଅଧିକ ଭଡ଼ା ଦେବା ପାଇଁ ସେମାନଙ୍କ ଉପରେ ଚାପ ପକାଇବା ପ୍ରକ୍ରିୟା ପାଇଁ ଓଲା କମ୍ପାନୀ ଉପରେ କ୍ଷୁବ୍ଧ ହୋଇଛନ୍ତି ସରକାର । କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (CCPA) ଏଏନ୍ଆଇ ଟେକ୍ନୋଲୋଜିଜ୍ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛି ।
ଏଏନ୍ଆଇ ଟେକ୍ନୋଲୋଜିଜ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରମୁଖ ରାଇଡ୍ କମ୍ପାନୀ 'Ola Cabs' (ଓଲା କ୍ୟାବ୍ସ୍)ର ମୂଳ କମ୍ପାନୀ। କମ୍ପାନୀକୁ ସମସ୍ତ ପ୍ରମ୍ପ୍ଟ, ମେସେଜ୍, ଇଣ୍ଟରଫେସ୍ ଡିଜାଇନ୍, ପୂର୍ବ-ଧାର୍ଯ୍ୟ ପରିମାଣ, କିମ୍ବା 'ଡାର୍କ ପ୍ୟାଟର୍ନ'ର ଅନ୍ୟ କୌଣସି ପ୍ରକାରକୁ ତୁରନ୍ତ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବୁକିଂ ସମୟରେ ପ୍ରଦର୍ଶିତ ଭଡ଼ା ବ୍ୟତୀତ, ଗ୍ରାହକମାନଙ୍କୁ ଅତିରିକ୍ତ ପରିମାଣ ଯଥା ଟିପ୍ସ, ଆଡ-ଅନ୍, ଅତିରିକ୍ତ ଭଡ଼ା କିମ୍ବା ଅନ୍ୟ କୌଣସି ନାମରେ ଲେବଲ୍ ହୋଇଥିବା ଯେକୌଣସି ମେସେଜକୁ ହଟାଇବାକୁ ସିସିପିଏ ନିର୍ଦ୍ଦେଶ ଦେଇଛି । ଏହା ବ୍ୟତୀତ, ବ୍ୟବହାରକାରୀଙ୍କ ଉପରେ ମାନସିକ ଚାପ ସୃଷ୍ଟି କରୁଥିବା ଯେକୌଣସି ବାର୍ତ୍ତାକୁ ହଟାଇବା ପାଇଁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି।
ଗ୍ରାହକମାନଙ୍କୁ ଶୀଘ୍ର ଗାଡ଼ି ମିଳିବାର ଆଶା ଦେଖାଇ, ଅଧିକ ଭଡ଼ା ଦେବା ପାଇଁ ସେମାନଙ୍କ ଉପରେ ଚାପ ପକାଇ ସେମାନଙ୍କୁ ବିଭ୍ରାନ୍ତ କରାଯାଉଥିବାର କମ୍ପାନୀ ଉପରେ ଅଭିଯୋଗ ରହିଥିଲା । ୨୦୨୫ ମସିହା ମେ’ ମାସରେ ମିଳିଥିବା ଏକ ଅଭିଯୋଗ ଆଧାରରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଅଭିଯୋଗରେ କୁହାଯାଇଥିଲା ଯେ, 'ଓଲା' (Ola) ଆପ୍ ଗ୍ରାହକମାନଙ୍କୁ ଆଗୁଆ 'ଟିପ୍' (tip) ଦେବା ପାଇଁ ଉତ୍ସାହିତ କରୁଛି। ଆପ୍ରେ ଏକ ବାର୍ତ୍ତା ଦେଖାଯାଉଥିଲା, ଯେଉଁଥିରେ ଲେଖାଥିଲା, "ଟିପ୍ ଯୋଡ଼ିଲେ ଆପଣଙ୍କୁ ଶୀଘ୍ର ରାଇଡ୍ (ଗାଡ଼ି) ମିଳିବାର ସମ୍ଭାବନା ବଢ଼ିପାରେ।" ନିଜ ପକ୍ଷ ରଖି 'ଓଲା' କହିଛି ଯେ, ସେମାନେ କେବଳ ଗ୍ରାହକମାନଙ୍କୁ ନିଜ ଇଚ୍ଛା ଅନୁସାରେ ଡ୍ରାଇଭରଙ୍କୁ ପୁରସ୍କାର (ଟିପ୍) ଦେବାର ବିକଳ୍ପ ପ୍ରଦାନ କରୁଥିଲେ ଏବଂ ଟିପ୍ ବାବଦକୁ ମିଳୁଥିବା ସମସ୍ତ ଅର୍ଥ ସିଧାସଳଖ ଡ୍ରାଇଭରଙ୍କ ପାଖକୁ ହିଁ ଯାଉଥିଲା।