ଲେହ: ଲଦାଖର ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ୍ ୱାଙ୍ଗଚୁକ୍ଙ୍କୁ ନେଇ ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ଲେହରେ ଚାଲିଥିବା ତାଙ୍କ ପ୍ରତିବାଦ କାର୍ଯ୍ୟକ୍ରମରୁ ପୋଲିସ ହଟାଇବା ପରେ ଏବେ ତାଙ୍କ ବିରୋଧରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଲଦାଖ ପ୍ରଶାସନ। ତାଙ୍କ ଗତିବିଧି ଓ ସାର୍ବଜନୀନ କାର୍ଯ୍ୟକଳାପ ଉପରେ ୬୦ ଦିନ ପାଇଁ କଟକଣା ଲଗାଯାଇଛି। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଆଗାମୀ ନିର୍ବାଚନକୁ ସୁରୁଖୁରୁରେ କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
ଲେହର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ନଭେମ୍ବର ୧୧ ତାରିଖରେ ଏନେଇ ଆଦେଶ ଜାରି ହୋଇଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ୨୦୨୩ର ଧାରା ୧୬୩ ଅନୁଯାୟୀ ଏହି କଟକଣା ଲାଗୁ କରାଯାଇଛି। ନିର୍ଦ୍ଦେଶ ଅନୁସାରେ, ୱାଙ୍ଗଚୁକ୍ ଏପରି କୌଣସି କାର୍ଯ୍ୟକଳାପରେ ସାମିଲ ହୋଇପାରିବେ ନାହିଁ, ଯାହା ଦ୍ୱାରା ସାର୍ବଜନୀନ ଶାନ୍ତି ଭଙ୍ଗ ହେବାର ଆଶଙ୍କା ରହିଛି। ଏଥିସହ ବିନା ଅନୁମତିରେ ରାଲି, ଶୋଭାଯାତ୍ରା କିମ୍ବା ସାଧାରଣ ସଭା ଆୟୋଜନ ଓ ସେଥିରେ ଯୋଗଦେବା ଉପରେ ମଧ୍ୟ ରୋକ୍ ଲଗାଯାଇଛି।
ପ୍ରଶାସନର କହିବା ଅନୁଯାୟୀ, ଲେହର ବରିଷ୍ଠ ପୋଲିସ ଅଧୀକ୍ଷକଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ୱାଙ୍ଗଚୁକ୍ଙ୍କ ପୂର୍ବ କାର୍ଯ୍ୟକଳାପ ଓ ଜନସାଧାରଣଙ୍କୁ ଏକାଠି କରିବା ସମ୍ପର୍କିତ କଥିତ ଉଦ୍ୟମ ଯୋଗୁଁ ଜିଲ୍ଲାରେ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି ହୋଇପାରେ ବୋଲି ପୋଲିସ ଆଶଙ୍କା ପ୍ରକାଶ କରିଥିଲା। ତାଙ୍କର ଆଗାମୀ କାର୍ଯ୍ୟକ୍ରମ, ଧାରଣା, ଅନଶନ ଓ ଜନସଭା ନିର୍ବାଚନୀ ପରିବେଶକୁ ପ୍ରଭାବିତ କରିପାରେ ବୋଲି ପ୍ରଶାସନ ନିଜ ଆଦେଶରେ ଉଲ୍ଲେଖ କରିଛି।
ଏହି ନିଷ୍ପତ୍ତି ପଛରେ ଲଦାଖରେ ଚାଲିଥିବା ନିର୍ବାଚନୀ ପ୍ରସ୍ତୁତି ମଧ୍ୟ ଏକ ପ୍ରମୁଖ କାରଣ। ଜିଲ୍ଲାରେ ନଗରପାଳିକା, ପଞ୍ଚାୟତ ଓ ଲଦାଖ ସ୍ୱୟଂଶାସିତ ପାହାଡ଼ି ବିକାଶ ପରିଷଦ (LAHDC) ନିର୍ବାଚନକୁ ନେଇ ପ୍ରକ୍ରିୟା ଜାରି ରହିଛି। ଏହି ସମୟରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇଛି। ତେଣୁ କୌଣସି ପ୍ରକାରର ଆନ୍ଦୋଳନ କିମ୍ବା ସାଧାରଣ ସମାବେଶ ନିର୍ବାଚନର ଶାନ୍ତିପୂର୍ଣ୍ଣ ପରିଚାଳନାରେ ବାଧା ସୃଷ୍ଟି କରିପାରେ ବୋଲି ପ୍ରଶାସନ ଆଶଙ୍କା କରିଛି।
ଉଲ୍ଲେଖଯୋଗ୍ୟ ଯେ, ଏହାର କିଛି ସମୟ ପୂର୍ବରୁ ଲେହର NDS ମେମୋରିଆଲ ପାର୍କରେ ଚାଲିଥିବା ପ୍ରତିବାଦ ସ୍ଥଳରୁ ସୋନମ୍ ୱାଙ୍ଗଚୁକ୍ଙ୍କୁ ପୋଲିସ ହଟାଇ ତାଙ୍କ ବାସଭବନକୁ ନେଇଥିଲା। ନିର୍ବାଚନ ସମୟରେ ସାଧାରଣ ସଭା ଓ ରାଲି ଉପରେ ଲାଗିଥିବା କଟକଣାକୁ ଆଧାର କରି ପୋଲିସ ଏହି ପଦକ୍ଷେପ ନେଇଥିବା କହିଥିଲା। ତାଙ୍କୁ ଘରେ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା।