ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଦୁଇଜଣ ସ୍ୱତନ୍ତ୍ର ପୋଲିସ ଅଧିକାରୀଙ୍କ ହତ୍ୟା ପରେ କିସ୍ତୱାଡ଼ ପୋଲିସ ତିନିଜଣ ସକ୍ରିୟ ଆତଙ୍କବାଦୀଙ୍କ ପାଇଁ ପୋଷ୍ଟର ଜାରି କରିଛି। ପୋଷ୍ଟରରେ ଚିହ୍ନଟ ହୋଇଥିବା ଆତଙ୍କବାଦୀମାନେ ହେଲେ ମହମ୍ମଦ ଅମିନ ଓରଫ୍ ଜାହାଙ୍ଗୀର, ରିୟାଜ ଅହମ୍ମଦ ଓରଫ୍ ହଜାରୀ ଏବଂ ମୁଦାସିର ହୁସେନ୍ ।
ଯେଉଁ ବ୍ୟକ୍ତି ଏମାନଙ୍କ ବିଷୟରେ ନିର୍ଭରଯୋଗ୍ୟ ସଠିକ୍ ସୂଚନା ପ୍ରଦାନ କରିବେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମୋଟ ୩୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ପୋଲିସ କହିଛି । କିସ୍ତୱାଡ଼ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଏବଂ ସର୍ବସାଧାରଣ ସ୍ଥାନରେ ଏହି ପୋଷ୍ଟରଗୁଡ଼ିକ ଲଗାଯାଇଛି।
ଗୁରୁବାର ସକାଳେ କିସ୍ତୱାଡ଼ରେ ଦୁଇଜଣ ଏସପିଓ ବବି ଚାନ୍ଦ ଏବଂ ରଶପାଲ କୁମାରଙ୍କ ଗୁଳିବିଦ୍ଧ ମୃତଦେହ ମିଳିଥିଲା । ଏହି ଦୁଇଜଣ ବୁଧବାର ଦିନ ଡ୍ୟୁଟି କରିବାକୁ ବାହାରି ଆସିଥିଲାବେଳେ ନିଖୋଜ ହୋଇଯାଇଥିଲେ। ଗତକାଲି ସକାଳେ ସୁରକ୍ଷା ବାହିନୀ କିସ୍ତୱାଡ଼ ଦଚ୍ଛନ ଅଞ୍ଚଳ ଅନ୍ତର୍ଗତ କିୟାର ସେକ୍ଟରରୁ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ସେମାନଙ୍କ ପାଖରେ ଥିବା ସର୍ଭିସ୍ ବନ୍ଧୁକ ମଧ୍ୟ ଗାଏବ୍ ଥିଲା । ଏ ଦୁଇ ଜଣଙ୍କ ହତ୍ୟା ପଛରେ ଆତଙ୍କବାଦୀଙ୍କ ହାତ ଥିବା ପୋଲିସ ସ୍ପଷ୍ଟ କରିଥିଲା ।