କୋଲକାତା: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଘୋଷଣା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏଣିକି ସରକାରୀ ନିଯୁକ୍ତି ପରୀକ୍ଷା ପାଇଁ ଆବେଦନ ଶୁଳ୍କ ଛାଡ଼ କରିବାକୁ ସରକାର ଯୋଜନା କରୁଛନ୍ତି। କେବଳ ସେତିକି ନୁହେଁ, ୨୦୨୭ରୁ ସରକାରୀ ଚାକିରି ପରୀକ୍ଷାରେ ସର୍ବାଧିକ ବୟସ ସୀମାକୁ ମଧ୍ୟ ୨ ବର୍ଷ କୋହଳ କରାଯିବ। ଏହି ଘୋଷଣା ପରେ ଚାକିରି ଆଶାୟୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
ପଶ୍ଚିମ ମେଦିନୀପୁର ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ବିଜେପିର ନିର୍ବାଚନୀ ଇସ୍ତାହାର 'ସଂକଳ୍ପ ପତ୍ର'ରେ ଏହି ପ୍ରତିଶ୍ରୁତି ରହିଥିବା ବେଳେ ଉପଯୁକ୍ତ ସମୟରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।
'ଭରସା' ଯୋଜନାରେ ମିଳିବ ଆର୍ଥିକ ସହାୟତା
ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବେକାର ଯୁବତୀଯୁବକଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରସ୍ତାବିତ 'ଭରସା' ଯୋଜନା ମାଧ୍ୟମରେ ସ୍ନାତକ ଓ ଅଣସ୍ନାତକ ଯୁବକଯୁବତୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଅତିକମରେ ୫ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବାକୁ ଯୋଜନା ରହିଛି। ଏହାର ସମ୍ପୂର୍ଣ୍ଣ ରୂପରେଖ ଖୁବଶୀଘ୍ର ଘୋଷଣା ହେବ।
ଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କା
ଏହାସହ ଜାନୁଆରୀରୁ 'ଭଗିନୀ ନିବେଦିତା' ଯୋଜନା ଆରମ୍ଭ କରିବାକୁ ଘୋଷଣା ହୋଇଛି। ବୋର୍ଡ ପରୀକ୍ଷା ପାସ୍ କରି ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରୀମାନଙ୍କୁ ୩ ବର୍ଷ ମଧ୍ୟରେ ମୋଟ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ।
୫ ବର୍ଷରେ ୧ ଲକ୍ଷ ନିଯୁକ୍ତି ଲକ୍ଷ୍ୟ
ଆଗାମୀ ୫ ବର୍ଷ ମଧ୍ୟରେ ପୋଲିସ, ଶିକ୍ଷା ସମେତ ବିଭିନ୍ନ ସରକାରୀ ବିଭାଗରେ ପ୍ରତିଯୋଗିତାମୂଳକ ପରୀକ୍ଷା ଜରିଆରେ ୧ ଲକ୍ଷ ନିଯୁକ୍ତି ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଏହାବ୍ୟତୀତ ଆସନ୍ତା ମାସରେ ରାଜ୍ୟ ପୋଲିସରେ ୧,୩୩୧ ଜଣ ସବ୍-ଇନ୍ସପେକ୍ଟର ଏବଂ ଜାନୁଆରୀରେ କୋଲକାତା ପୋଲିସରେ ୪,୦୦୦ କନଷ୍ଟେବଳ ନିଯୁକ୍ତି ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି।
ଏହି କାର୍ଯ୍ୟକ୍ରମରେ PACE (Police Assistance in Career and Employment Enhancement) ଯୋଜନା ଅଧୀନରେ ୬୦୦ ଜଣ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇଛି। ସରକାରୀ ନିଯୁକ୍ତି ସହ ଘରୋଇ ଶିଳ୍ପରେ ନୂଆ ଚାକିରି ସୃଷ୍ଟି ଏବଂ ଯୁବପିଢ଼ିଙ୍କୁ ଆତ୍ମନିଯୁକ୍ତି ପାଇଁ ପ୍ରୋତ୍ସାହନ ଦେବା ଉପରେ ସରକାର ଗୁରୁତ୍ୱ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଚାକିରି ଆଶାୟୀଙ୍କ ପାଇଁ ଏହି ଘୋଷଣା କେତେ ବଡ଼ ଆଶ୍ୱସ୍ତି ଆଣିବ, ତାହା ଯୋଜନାଗୁଡ଼ିକର କାର୍ଯ୍ୟକାରିତା ପରେ ସ୍ପଷ୍ଟ ହେବ।