ପୁରୀ: ପଞ୍ଚୁକରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ପୁରୀକୁ ଛୁଟିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ସହ ସୁରୁଖୁରୁରେ ଦର୍ଶନ ବ୍ୟବସ୍ଥା ପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। ପଞ୍ଚୁକ ପ୍ରସ୍ତୁତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
କେବଳ ସିଂହଦ୍ୱାରରୁ ମିଳିବ ପ୍ରବେଶ ଅନୁମତି
ପଞ୍ଚୁକ ସମୟରେ ଶ୍ରୀମନ୍ଦିରକୁ ପ୍ରବେଶ ପାଇଁ କେବଳ ସିଂହଦ୍ୱାର ଖୋଲା ରହିବ। ଅନ୍ୟ ତିନୋଟି ଦ୍ୱାରକୁ କେବଳ ପ୍ରସ୍ଥାନ ପାଇଁ ବ୍ୟବହାର କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ମନ୍ଦିର ଭିତରେ ଅଯଥା ଭିଡ଼ ଏଡ଼ାଇବା ସହ ଭକ୍ତଙ୍କ ଯାତାୟାତକୁ ଶୃଙ୍ଖଳିତ କରାଯାଇପାରିବ। ପ୍ରତିବର୍ଷ ପଞ୍ଚୁକରେ ଏହି ବ୍ୟବସ୍ଥା ଲାଗୁ ହେଉଥିବା ବେଳେ ଚଳିତବର୍ଷ ମଧ୍ୟ ସମାନ ନିୟମ ରହିବ।
ଭୋର ୪ଟାରୁ ଖୋଲିବ କି ଦ୍ୱାର?
ପଞ୍ଚୁକ ସମୟରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଦ୍ୱାରଫିଟା ନୀତି ଉପରେ ମଧ୍ୟ ଆଲୋଚନା ହୋଇଛି। ଭୋର ୪ଟାରୁ ମନ୍ଦିର ଦ୍ୱାର ଖୋଲିବା ନେଇ ବିଚାରବିମର୍ଶ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ସମ୍ପର୍କରେ ଅଧିକାରିକ ଘୋଷଣାକୁ ଅପେକ୍ଷା ରହିଛି।
ପ୍ରଶାସନର ଅପିଲ୍, ନିୟମ ମାନି କରନ୍ତୁ ଦର୍ଶନ
ପଞ୍ଚୁକରେ ଶ୍ରୀମନ୍ଦିରରେ ଭକ୍ତଙ୍କ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ସମନ୍ୱୟ ରଖାଯାଇଛି। ଶ୍ରଦ୍ଧାଳୁମାନେ ନିର୍ଦ୍ଧାରିତ ପ୍ରବେଶ ଓ ପ୍ରସ୍ଥାନ ପଥ ଅନୁସରଣ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।