ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଦୁଇଟି ଭିନ୍ନ ଭିନ୍ନ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି । ମଙ୍ଗଳବାର ସକାଳେ ଋଷିକେଶରେ ଭୟଙ୍କର ଦୁର୍ଘଟଣା ଘଟିଛି । ହରିଦ୍ୱାରରୁ ଜୋଶୀମଠ ଯାଉଥିବା ଏକ ବସ୍ ଘାଟିରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଛି । ଫଳରେ ୮ ଜଣ ଶ୍ରଦ୍ଧାଳୁ ମୃତ୍ୟୁ ବରଣ କରିଥିବାବେଳେ ୧୩ ଜଣ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି ।
ତେହରି ଜିଲ୍ଲା ମାଜିଷ୍ଟ୍ରେଟ ନିତିକା ଖଣ୍ଡେଲୱାଲଙ୍କ ସୂଚନା ଅନୁସାରେ ବିଶ୍ୱନାଥ ସେବାର ଏକ ବସ୍ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ହରିଦ୍ୱାରରୁ ଜୋଶୀମଠ ଅଭିମୁଖେ ଯାଉଥିଲା । ଗୁଲର ନିକଟରେ ବସଟି ଷ୍ଟିଲ୍ ରେଲିଂ ଭାଙ୍ଗି ଘାଟି ତଳକୁ ଖସି ନଦୀରେ ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ୨୦ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ତୁରନ୍ତ ଉଦ୍ଧାରକାରୀ ଦଳ ପହଁଚି ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟ ଗୁରୁତର ଆହତ ଚିକିତ୍ସାଧୀନ ରହିଛନ୍ତି । ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବାକୁ ଉଦ୍ୟମ ଜାରି ରହିଛି । ତେବେ ଦୁର୍ଘଟଣା କିପରି ଘଟିଲା ସେ ନେଇ ଯାଞ୍ଚ ଆରମ୍ଭ ହୋଇଛି ।
ସେହିପରି ଅନ୍ୟ ଏକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସୋମବାର ବିଳମ୍ବିତ ସନ୍ଧ୍ୟାରେ ରୁଦ୍ରପ୍ରୟାଗରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜିଲ୍ଲାର ବାଂସୱାଡ଼ା-କାଣ୍ଡାରା ମୋଟରୱେରେ ଏକ ବୋଲେରୋ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତାରୁ ପ୍ରାୟ ୫୦୦ ମିଟର ତଳେ ଏକ ଗଭୀର ଘାଟିକୁ ଖସି ପଡ଼ିଛି । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି।
ଦୁର୍ଘଟଣା ସମୟରେ ବୋଲେରୋ ଗାଡ଼ିରେ ମୋଟ ୧୦ ଜଣ ଲୋକ ଥିଲେ। ସେମାନେ ଏକ ବିବାହ ଉତ୍ସବରେ ଯୋଗ ଦେଇ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ, ବାଂସୱାଡ଼ା-କାଣ୍ଡାରା ମୋଟରୱେରେ, ଗାଡ଼ିଟି ନିୟନ୍ତ୍ରଣ ହରାଇ ସିଧାସଳଖ ଏକ ଗଭୀର ଘାଟିକୁ ଖସି ପଡ଼ିଥିଲା ।